୪ ଦିନ ପ୍ରବଳ ବର୍ଷା

୪ ଦିନ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁରୁବାର ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ଥିବାରୁ ଆସନ୍ତା ୩ରୁ ୪ ଦିନ ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଲଗାଣ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୁଇଟି ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ତଥା ଭାରିମାତ୍ରାରେ ବର୍ଷା ହେବା ସମ୍ଭାବନା ରହିଥିବାରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।

ଏଥିସହ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ନେଇ ମଧ୍ୟ ସତର୍କ କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି ଜିଲା ପାଇଁ ମଧ୍ୟ ଅରେଞ୍ଜ ଓ୍ବାନିର୍ଂ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି, ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟ୍‌କା ପବନ ୩୦ରୁ ୪୦ କିମି ବେଗରେ ବହିବା ସମ୍ଭାବନା କରିଛି। ଅନ୍ୟପଟେ ବରଗଡ଼, ସୋନପୁର, ବୌଦ୍ଧ, ଜଗତ୍‌ସିଂହପୁର, କଟକ, ଗଞ୍ଜାମ ଓ ଗଜପତି ଜିଲା ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରି ୟେଲୋ ଓ୍ବାର୍ନିଂ ଦେଇଛି ପାଣିପାଗ କେନ୍ଦ୍ର। ପୁରୀ, ଖୋର୍ଦ୍ଧା, ନୟାଗଡ଼ ପାଇଁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ୨୭ ଓ ୨୮ ତାରିଖ ପାଇଁ ବିଭିନ୍ନ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ କମିପାରେ।