ପ୍ରକୃତିକୁ ହାତମୁଠାରେ ରଖିବାକୁ ପ୍ରୟାସ, ମଣିଷ ଚାହିଁଲେ ହେବ ବର୍ଷା, ନଚାହିଁଲେ ବନ୍ଦ


ାା ଏଜେନ୍ସି ।ା ନୂଆଦିଲ୍ଲୀ : ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ । ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ । ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି । ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ । ଏହି ପ୍ରୋଜେକ୍ଟର ନାମ ‘ମିଶନ ମୌସମ' ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି । 
ସେ କହିଛନ୍ତି, କୃତ୍ରିମ ବୃଷ୍ଟିପାତ ହ୍ରାସ ଏବଂ ବୃଦ୍ଧି ପାଇଁ ଆମେ ପ୍ରାରମ୍ଭିକ ପରୀକ୍ଷା କରିବାକୁ ଚାହୁଁଛୁ । ଲ୍ୟାବ୍ ସିମୁଲେସନ୍ (କ୍ଲାଉଡ୍ ଚାମ୍ବର) ଆସନ୍ତା ଦେଢ ବର୍ଷ ମଧ୍ୟରେ କରାଯିବ, କିନ୍ତୁ କୃତ୍ରିମ ପାଣିପାଗ ପରିବର୍ତ୍ତନ ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ । ‘ମିଶନ ମୌସମ' ଅଧୀନରେ ବୈଜ୍ଞାନିକମାନେ ମଧ୍ୟ ଦେଶର ପାଣିପାଗ ପୂର୍ବାନୁମାନ ପ୍ରଣାଳୀରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବେ, ଯାହା ଦ୍ୱାରା ସ୍ୱଳ୍ପ ଏବଂ ମଧ୍ୟମ ବୃଷ୍ଟିପାତ ବାବଦରେ ପୂର୍ବାନୁମାନ ଆହୁରି ସଠିକ୍ ହୋଇପାରିବ ।  ଏହା ବ୍ୟତୀତ ଭାରତର ପାଣିପାଗ ବିଭାଗ  ଆଇଏମଡି ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ବିଜ୍ଞାନ ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ‘ମୌସମ ଜିପିଟି' ଏକ ଚାଟଜିପିଟି  ପରି ଆପ୍ଲିକେସନ ମଧ୍ୟ ଲଞ୍ଚ୍ କରିବାକୁ ଯୋଜନା ରଖାଯାଇଛି । ଏହା ମାଧ୍ୟମରେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ପାଣିପାଗ ସମ୍ବନ୍ଧରେ ସୂଚନା ଆହୁରି ସହଜରେ ମିଳିପାରିବ । ଏହି ସୂଚନା ଉଭୟ ଲିଖିତ ଏବଂ ଅଡିଓ ଫର୍ମାଟରେ ଉପଲବ୍ଧ ହେବ ।  ଏହି ମିଶନ ପାଇଁ ସରକାର ୨ ହଜାର କୋଟି ଟଙ୍କା ଅର୍ଥ ମଂଜୁର ହୋଇ ଥିବାବେଳେ ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ପାଣ୍ଠି ଦିଆଯିବ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ କହିଛନ୍ତି । 
ତେବେ ଏୟାରକ୍ରାଫ୍ଟ ବ୍ୟବହାର କରି କ୍ଲାଉଡ୍ ସିଡିଂ ମାଧ୍ୟମରେ ବୃଷ୍ଟିପାତକୁ ରୋକିବା ଏବଂ ବଢାଇବାର ଏହି ଟେକ୍ନୋଲୋଜି ଆମେରିକା, କାନାଡା, ଚୀନ୍, ରୁଷ ଏବଂ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶରେ ସୀମିତ ଉପାୟରେ ବ୍ୟବହୃତ ହେଉଛି । ଆମ ଦେଶରେ ଏହା ଆଗାମୀ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।