ପାଟ୍ଟରାକ୍ଷୀ ପିନ୍ଧିଲେ ଶ୍ରୀଜଗନ୍ନାଥ ଓ ବଳଭଦ୍ର
ପୁରୀ: ଗହ୍ମା ପୂର୍ଣ୍ଣମୀ ବା ଝୁଲଣ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରୀଜୀଉମାନଙ୍କୁ ରାକ୍ଷୀ ଲାଗି ନୀତି ସଂପନ୍ନ କରାଯାଇଛି । ଶ୍ରୀ ଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ଏହି ଅବସରରେ ବାସୁଙ୍ଗା ପାଟ ସୁତାରେ ପ୍ରସ୍ତୁତ ପାଟରାକ୍ଷୀ ଏବଂ ଗୁଆର ମାଳ ଲାଗି କରାଯାଇଛି । ଶ୍ରାବଣ ମକର ନକ୍ଷତ୍ର ଶନିବାର ଭୋର ୫ଟା ୩୫ମିନିଟ୍ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ୬ଟାରେ ଭିତର ଶୋଧ, ୬ଟା ୧୫ରେ ମଙ୍ଗଳଆଳତି, ୬ଟା ୨୦ରେ ମଇଲମ, ୭ଟା ୦୫ରେ ତଡ଼ପଲାଗି, ୭ଟା ୨୦ରେ ଅବକାଶ ପୂଜା ଠା ଏବଂ ୭ଟା ୨୫ରେ ଅବକାଶ ପୂଜା ଆାରମ୍ଭ ହୋଇ ୭ଟା ୪୫ମିନିଟ୍ରେ ଶେଷ ହୋଇଥିଲା । ୭ଟା ୫୦ମିନିଟ୍ରେ ଠାକୁରମାନେ ପୁନଶ୍ଚ ମଇଲମ ହୋଇଥିଲେ । ୭ଟା ୫୫ମିନିଟ୍ରେ ରୋଷ ହୋମ, ୮ଟା ୨୫ରେ ବେଶ ଶେଷ, ୮ଟା ୫୫ରେ ସୂର୍ଯ୍ୟପୂଜା, ୯ଟା ୧୦ରେ ଦ୍ୱାରପାଳ ପୂଜା ସଂପନ୍ନ ହେବା ପରେ ପୂର୍ବାହ୍ନ ୯ଟା ୨୫ମିନିଟ୍ରେ ଗୋପାଳ ବଲ୍ଲଭ ପୂଜା ଆରମ୍ଭ ହୋଇ ୯ଟା ୩୫ରେ ଶେଷ ହୋଇଥିଲା । ୧୦ଟାରେ ସକାଳଧୂପ ପାଇଁ ଡ଼କରା ଯାଇଥିଲା ଓ ୧୦ଟା ୧୦ରେ ସକାଳଧୂପ ଛେକ ଆସିଥିଲା । ୧୦ଟା୨୦ମିନିଟ୍ରେ ସକାଳଧୂପ ପୂଜା ଆରମ୍ଭ ହୋଇ ଓ ୧୦ଟା ୫୫ରେ ଟେରା ପଡ଼ିଥିଲା । ୧୧ଟା ୧୫ରେ ସକାଳଧୂପ ପୂଜା ଶେଷ ହୋଇଥିବା ବେଳେ ୧୧ଟା ୨୫ରେ ଭୋଗ ମଣ୍ଡପ ଉଠିଲା । ୨ଟା ୧୫ରେ ପୂଜା ବସିଲା । ୨ଟା ୨୫ରେ ଶେଷ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ହୋଇ ଠାକୁରମାନଙ୍କୁ ନୂଆ ଲୁଗା, ୬ମୂର୍ତ୍ତି ଅଳଙ୍କାର, ରାକ୍ଷୀ ଓ ଗୁଆମାଳ ଲାଗି କରାଯାଇଥିଲା । ଠାକୁରମାନଙ୍କ ପାଇଁ ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ରାକ୍ଷୀ ଓ ଗୁଆର ମାଳ । ନାଲି, ନେଳୀ, ହଳଦିଆ ଓ ବାଇଗଣୀ ରଂଗର ପାଟ ସୁତାରେ ୨ଠାକୁରଙ୍କ ପାଇଁ ବିଶୋଇ ସେବକଙ୍କ ଘରେ ରାକ୍ଷୀ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଅଣାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଂଗର ଗୁଆର ମାଳ ଓ ପ୍ରଭୁ ବଳଭଦ୍ରଙ୍କ ପାଇଁ ନେଳୀ ଏବଂ ବାଇଗଣୀ ରଂଗର ଗୁଆରମାଳ ପ୍ରସ୍ତୁତ ହୋଇଥିଲା । ଭୋଗମଣ୍ଡପ ଶେଷ ହେବା ପରେ ୩ବାଡ଼ରେ ମଇଲମ ଓ ମହାସ୍ନାନ କରାଯାଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ ଘଟୁଆରୀ ଘର ଠାରୁ ୩ଟି ରୂପା ପିଙ୍ଗଣରେ ସର୍ବାଙ୍ଗ ଆଣି ୩ବାଡ଼ରେ ଲାଗି କରିଥିଲେ । ଏହା ପରେ ମହାପ୍ରଭୁଙ୍କୁ ନୂଆଲୁଗା ଓ ବୋଇରାଣୀ ପତନି ଲାଗି କରାଯାଇଥିଲା । ପୂଷ୍ପାଳକ ସେବକ ସୁନା ଲାଗିଥିବା ପାଟରାକ୍ଷୀ ଓ ଗୁଆର ମାଳ ଲାଗି କରିଥିଲେ ।