ସୁଧୁରିଲାନି ଏରକଣ୍ଟାରେ ପାନୀୟ ଜଳ ସମସ୍ୟା: ପାନୀୟ ଜଳ ଯୋଗାଇଲେ ସମାଜସେବୀ

 ବାଲିଅନ୍ତା : ବାଲିଅନ୍ତା ବ୍ଲକ ପୂରଣପ୍ରଧାନ ପଞ୍ଚାୟତ ଏରକଣ୍ଟା ଗ୍ରାମ ୧ ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ସୁଧୁରିବାରେ ନା ଧରୁନି । ପ୍ରଭାବିତ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳଶୁନ । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପାଣି ମୁନେ୍ଦ ପାଇଁ ଡହଳ ବିକଳ ହେଉଛନ୍ତି ସମ୍ପୃକ୍ତ ଗ୍ରାମବାସୀ । ଉକ୍ତ ଗ୍ରାମର ଏହି ସମସ୍ୟା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହା ସମାଧାନ ହୋଇପାରିନାହିଁ । ସେହିପରି ଏଭଳି ସମସ୍ୟା ଜାରି ରହିଥିବା ବେଳେ ଆଜି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଛନ୍ତି ଯୁବ ସମାଜସେବୀ ବ୍ରହ୍ମାନନ୍ଦ ସ୍ୱାଇଁ ଏବଂ ପ୍ରଦୀପ୍ତ କୁମାର ମହାନ୍ତି । ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ବେଳେ ଏହାର ଆବଶ୍ୟକତା କେତେ ଜରୁରୀ ତାହା ବାରି ହୋଇପଡୁଥିଲା । 
ପ୍ରକାଶଥାଉକି ଏହି ଗ୍ରାମରେ ମୋଟ ୧୦୦ ରୁ ଊର୍ଦ୍ଧ୍ୱ ପରିବାର ରହିଥିବା ବେଳେ ଲୋକସଂଖ୍ୟା ୫ ଶହରୁ ଊର୍ଦ୍ଧ୍ୱ । ଏହି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଗ୍ରାମ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପାଇପ ବିଛା ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରି ଟ୍ୟାପ ଲଗାଇଛି । ମାତ୍ର ଗତବର୍ଷ  ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ ସମୟରେ ଦାୟିତ୍ୱ ନେଇଥିବା ଠିକାଦାର ଉକ୍ତ ପାଇପକୁ ବିଛିନ୍ନ କରିଦେଇଥିଲେ । ଏପରିକି ସେତୁ ନିର୍ମାଣ କାମ ସରିଲେ ଏହି ପାଇପ ସଂଯୋଗ କରିବ ବୋଲି କହିଥିଲେ । ମାତ୍ର କାମ ଶେଷ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ଭାଙ୍ଗି ଯାଇଥିବା ପାଇପ ଲାଇନକୁ ଆଉ ସଂଯୋଗ କରିନଥିଲେ । ସେହିପରି ମେଗା ପ୍ରକଳ୍ପ ମାଧ୍ୟମରେ ଏହି ଗ୍ରାମକୁ ମଧ୍ୟ ପାଇପ ବିଛା ଯାଇଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଉକ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣ ଫେଲ ହୋଇଛି । ଗ୍ରାମରେ ୩ ରୁ ୪ ଟି ସରକାରୀ ନଳକୂପ ଏବଂ କିଛି ଲୋକେ ବ୍ୟକ୍ତିଗତ ଭାବେ ନଳକୂପ ବସାଇଥିଲେ ମଧ୍ୟ କେଉଁଠି ଲୌହଯୁକ୍ତ ପାଣି ବାହାରୁଥିବା ବେଳେ ଆଉ କେଉଁଠି ଭୁତଳ ଜଳସ୍ତର କମିଥିବାରୁ ପାଣି ବାହାରୁନି । ଏପରି ସ୍ଥଳେ ଲୋକଙ୍କ ଅବସ୍ଥା ନ କହିବା ଭଲ । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । କେହି କେହି ବଜାରରୁ ପାଣି କିଣି ବ୍ୟବହାର କରୁଥିବା ଦେଖାଯାଇଛି ।