ଆମେରିକାରେ ନେହାଲ ମୋଦି ଗିରଫ


 ନୂଆଦିଲ୍ଲୀ: ହଜାର ହଜାର କୋଟିର ଋଣ କରି ଦେଶ ଛାଡ଼ି ପଳାଇ ଯାଇଥିବା ନୀରବ ମୋଦିର ଭାଇ ନେହାଲ ମୋଦିକୁ ଗିରଫ କରାଯାଇଛି  । ପଞ୍ଜାବ ନାସନାଲ ବ୍ୟାଙ୍କରୁ କୋଟି କୋଟି ଋଣ କରିଥିବା ଅଭିଯୋଗରେ ଆମେରିକାରେ ତାକୁ ଗିରଫ କରାଯାଇଛି  । ନେହାଲକୁ ଗିରଫ କରିବା ପାଇଁ ଭାରତ ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଥିଲା  ।   ଆମେରିକାର ଜଷ୍ଟିସ୍ ବିଭାଗର ସୂଚନା ଅନୁଯାୟୀ, ନେହାଲ ମୋଦି ବେଲଜିୟମର ନାଗରିକତ୍ୱ ଗ୍ରହଣ କରିଛନ୍ତି  । ଜୁଲାଇ ୪ରେ ପୁଲିସ୍ ତାକୁ ଗିରଫ କରିଛି  । ଟଙ୍କା ହେରଫେର ଓ ପ୍ରମାଣ ନଷ୍ଟ ଭଳି ସଂଗୀନ ଦଫା ବି ଲାଗିଛି  ।
ସୂଚନାଯୋଗ୍ୟଯେ, ନୀରବ ମୋଦି, ମେହୁଲ ଚୋସ୍କି ଓ ନେହାଲକୁ ସିବିଆଇ ଜେରା କରିବାକୁ ଚାହୁଁଛି  । ଜାଲ୍ କାଗଜପତ୍ର ଜରିଆରେ ପିଏନବିରୁ ସେମାନେ ୧୩୫୦୦ କୋଟି ଟଙ୍କାର ଋଣ ନେଇଥିଲେ  । ପରିଶୋଧ ନକରି ସେମାନେ ଦେଶ ଛାଡ଼ି ପଳାଇ ଯାଇଛନ୍ତି  ।  ନୀରବ ଏବେ ଲଣ୍ଡନ ଜେଲ୍ରେ ଅଛି  । ତାକୁ ପ୍ରତ୍ୟର୍ପଣ କରିବା ପାଇଁ ବ୍ରିଟେନ୍ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି  । ତେବେ ନୀରବ ବାରବାର ଅପିଲ୍ କରୁଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି  । ଅପରପକ୍ଷରେ ବେଲଜିୟମ୍ରେ ଚୋକ୍ସିକୁ ମଧ୍ୟ ଗିରଫ କରାଯାଇଥିଲା  । ୨୦୧୮ରେ ସେ ଦେଶ ଛାଡ଼ି ଆଣ୍ଟିଗୁଆ ଓ ବରଗୁଡ଼ାରେ ଲୁଚି ରହିଥିଲା  । ଏମିତିକି ସେଠାକାର ନାଗରିକତ୍ୱ ବି ହାସଲ କରିନେଇଥିଲା  ।
ସେପଟେ ଇଡ଼ି ଓ ସିବିଆଇ ପକ୍ଷରୁ କୁହାଯାଇଛିଯେ, ନୀରବ ମୋଦିର ଋଣ ଠକେଇରେ ନେହାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା  ।  ଜାଲ୍ କମ୍ପାନୀ ଜରିଆରେ ନେହାଲ ଋଣ ଅର୍ଥକୁ ନେଇ ଯାଇଥିଲା  । ନୀରବ ମୋଦିର ପ୍ରତ୍ୟର୍ପଣର ଶୁଣାଣୀ ଜୁଲାଇ ୧୭ରେ ହେବାର ଅଛି  । ସେପଟେ ନେହାଲ ଜାମିନ୍ ଆବେଦନ କରିବାର ଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ବିରୋଧ କରାଯିବ  । ନେହାଲକୁ ମଧ୍ୟ ପ୍ରତ୍ୟର୍ପଣ ପାଇଁ ଭାରତ ଆମେରିକାକୁ ଅନୁରୋଧ କରିବ ବୋଲି ଜାଣିବାକୁ ମିଳିଛି  ।