ପୁଣି ଇସ୍କନର ଅଦିନିଆ ରଥଯାତ୍ରା ପ୍ରସ୍ତୁତି

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ପୁଣି ଅଦିନରେ ରଥଯାତ୍ରା ଆୟୋଜନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ କରୁଛି ଅପଚେଷ୍ଟା । ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଆମେରିକାର ହୁ୍ୟଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ଯାଉଛି ଇସ୍କନ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା ।
ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି । ୨୦୨୦ ମସିହା ଜାନୁଆରିରେ ସବୁ ବିରୋଧ ଓ ପ୍ରତିବାଦକୁ ଖାତିର ନକରି ଆଶାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା । ଏହା ପୂର୍ବରୁ ୨୦୦୭ ଅକ୍ଟୋବର ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀରେ ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଖୋଦ ଗଜପତି ମହାରାଜ ଇସ୍କନର ଏଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରକେ ଅନ୍ୟ ସମୟରେ ନକରିବାକୁ  ୨୦୧୯ ସେପ୍ଟେମ୍ବରରେ ଏକ ବାର୍ତ୍ତା ଦେଇଥିଲେ । ଗଜଗତି ମହାରାଜାଙ୍କ ଏହି ବାର୍ତ୍ତା ପରେ ଇସ୍କନ ଇଣ୍ଡିଆ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଯେଉଁ ତିଥିରେ ରଥଯାତ୍ରା ପଡୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା । ଏନେଇ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ କରାଯାଇଥିଲା । ହେଲେ ଏହା ସତ୍ତ୍ୱେ ଇସ୍କନ ପକ୍ଷରୁ ପୁଣି କିଭଳି ଏଭଳି ଆସ୍ପର୍ଦ୍ଧା କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏନେଇ ସଂସ୍ଥାର ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ପ୍ରତିକ୍ରିୟାରେ କହିଛି ଓଡ଼ିଶା ଇସ୍କନ ଶାଖା ।