ଜଙ୍ଗଲ ରକ୍ଷା ପାଇଁ ବନାଗ୍ନି ନିରାକରଣ
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନାଗ୍ନି ନିରାକରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଜି ବିଧାନସଭାରେ ବନାଗ୍ନି ନିରାକରଣ କାର୍ଯ୍ୟକ୍ରମ ସମ୍ପକ୍ରରେ ଏହି ତଥ୍ୟ ଉପସ୍ଥାପନ କରି କହିଛନ୍ତି କି, ଆଗାମୀ ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟରେ ଜଙ୍ଗଲଗୁଡିକୁ ଅଗ୍ନି ଦାଉରୁ ରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବହୁବିଧ ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡିକ ଗ୍ରହଣ କରିଛନ୍ତି । ଜଙ୍ଗଲ ଅଗ୍ନି ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ସମସ୍ତ ବନଖଣ୍ଡରେ ଜଙ୍ଗଲ ଅଗ୍ନି ପ୍ରତିରୋଧକ ବାହିନୀ ପାଇଁ ଅଗ୍ନି ସଚେତନତା ସଭା ଏବଂ ପ୍ରଶିକ୍ଷଣ ସହିତ ମକ୍ଡ୍ରିଲ୍ ସମ୍ପନ୍ନ ହୋଇସାରିଛି । ଜଙ୍ଗଲ ଅଗ୍ନି ପ୍ରତିରୋଧକ ଏବଂ ନିୟନ୍ତ୍ରଣ ପାଇଁ ନୂତନ ଅଗ୍ନି ରେଖା ସୃଷ୍ଟି କରାଯାଇଛି ଏବଂ ପୁରାତନ ଅଗ୍ନି ରେଖାର ରକ୍ଷଣାବେକ୍ଷଣ କରାଯାଇଛି । ଜଙ୍ଗଲ ଅଗ୍ନି ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ବନଖଣ୍ଡରେ ଅଗ୍ନି ପ୍ରତିରୋଧକ ବାହିନୀ ସହିତ ଯାନବାହନ ନିୟୋଜିତ ହୋଇଛନ୍ତି । ଅଗ୍ନି ପ୍ରତିରୋଧକ ବାହିନୀର ସଦସ୍ୟମାନଙ୍କୁ ଅଗ୍ନି ସୁରକ୍ଷା ଉପକରଣ ଏବଂ କିଟ୍ ପ୍ରଦାନ କରାଯାଇଛି । ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ବିଭାଗୀୟ କର୍ମଚାରୀଙ୍କୁ ଏଫ୍ଏସ୍ଆଇ ପୋର୍ଟାଲରେ ଜଙ୍ଗଲ ଅଗ୍ନି ସତର୍କତା ପାଇଁ ପଞ୍ଜିକୃତ କରାଯାଇଛି । ଜଙ୍ଗଲ ଅଧିକାରୀମାନେ ଓଏଫ୍ଏସ୍ଏମ୍ ମୋବାଇଲ ଆପ୍ ବ୍ୟବହାର କରି ଜଙ୍ଗଲ ଅଗ୍ନି ସତର୍କତା ଗ୍ରହଣ ଏବଂ ପ୍ରତିକ୍ରିୟା କରିପାରିବେ । ଜଙ୍ଗଲ ଅଗ୍ନି ପ୍ରତିରୋଧକ ଏବଂ ନିୟନ୍ତ୍ରଣ ପାଇଁ ରାଜ୍ୟ ବନ ବିଭାଗ ମୁଖ୍ୟାଳୟ ଏବଂ ବନଖଣ୍ଡ ମୁଖ୍ୟାଳୟ ସ୍ତରରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟରତ ରହିଛି । ଜଙ୍ଗଲ ଅଗ୍ନିର ପ୍ରଭାବଶାଳୀ ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଗ୍ରାମଗୁଡିକୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସିମିଳିପାଳରେ ଜଙ୍ଗଲ ଅଗ୍ନିର ପ୍ରଭାବଶାଳୀ ମନିଟରିଂ ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ୟାମେରା ସ୍ଥାପନ କରାଯାଇଛି ।