ରିଲ୍ସ ମାୟାରେ ସଡ଼କ ସୁରକ୍ଷାର ଧଜିଆ ଉଡୁଛି : ଆକ୍ସନ ମୋଡ଼ରେ ପରିବହନ ବିଭାଗ
କଟକ/ଭୁବନେଶ୍ୱର: ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସଂପର୍କରେ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଦେ୍ର୍ଦଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏଭଳି ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ତ୍ୱରିତ ପଦକ୍ଷେପ ସ୍ୱରୂପ, କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ବାରିଣିପୁଟଠାରେ ମାଲବାହୀ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଦୋକାନ ଉପରେ ମାଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚାଳକ ଜଣକ ନିଶା ସେବନ କରି ଗାଡ଼ି ଚଲାଉଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିଭଳି, ଖୋର୍ଦ୍ଧା ଜିଲ୍ଲା ହଳଦିଆର ଏକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଚଳନ୍ତା ଚାରିଚକିଆ ଗାଡ଼ିରେ ଡ୍ରାଇଭର ଷ୍ଟିଅରିଂ ଛାଡ଼ି ରିଲ୍ସ କରୁଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ଥାନୀୟ ପୋଲିସ, ଜଗତସିଂହପୁର ଓ ଭୁବନେଶ୍ୱର-୧ ଆରଟିଓଙ୍କ ସହଯୋଗରେ ଗାଡ଼ିକୁ ଜବତ କରିଛନ୍ତି ।
ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା । ଏହି ଘଟଣାରେ ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି ।