ବରଡା-ତୁରଙ୍ଗ ରାସ୍ତାର ବିକଳ ଚିତ୍ର , ଭାଙ୍ଗୁନି ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା
ାା ପ୍ରଭାନୁ୍ୟଜ ।ା ଜାରକା : ଧର୍ମଶାଳାର କଳାପଥର କଳାକାରନାମାକୁ ସମସ୍ତେ ହୃଦୟଙ୍ଗମ କରିଛନ୍ତି । ବିକାଶର ଦ୍ୱାହି ଦେଇ ରାଜନେତା ଏବଂ ପ୍ରଶାସନୀକ ଅଧିକାରୀ କଳାକାରନାକୁ ନୁ୍ୟନ କରିବାକୁ ପଛାଇନଥାନ୍ତି । କିନ୍ତୁ ବିକାଶିତ ଧର୍ମଶାଳାର ବିକଳ ଚିତ୍ର ଯିଏ ଦେଖିବ, ଯିଏ କେବେ ହେଲେ ବିଶ୍ୱାସ କରିବନି ରାଜ୍ୟ ସରକାରଙ୍କ ରାଜକୋଷକୁ ଭରପୁର କରିବାରେ ପ୍ରମୁଖ ଭୁମିକା ଲିଭାଉଥିବା ଧର୍ମଶାଳାରେ ଏଭଳିବି ରାସ୍ତା ରହିଛି । ଆମେ କହୁଛୁ ବରଡ଼ା-ତୁରଙ୍ଗ ରାସ୍ତାର କଥା । ଧର୍ମଶାଳା ବ୍ଲକ ବରଡାରୁ ତୁରଙ୍ଗ ରାସ୍ତା ସଂପୂର୍ଣ୍ଣ ଭାବେ ଶୋଚନୀୟ ହୋଇପଡ଼ିଛି । ଦୀର୍ଘ ଦିନ ଧରି ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ିଥିବା ବେଳେ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରାଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତା ଅବସ୍ଥାକୁ ନେଇ ୨୯/୧/୨୪ରେ ଅନୁଷ୍ଠିତ ଜନ ଶୁଣାଣିରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲା । ବରଡା ଠାରେ ରାସ୍ତାର ଭିଭିପ୍ରସ୍ତର ସ୍ଥାପିତ ହୋଇଥିଲା । ନିର୍ବାଚନ ପୂର୍ବରୁ କାର୍ଯ୍ୟାଦେଶ ମିଳିସାରିଥିବାରୁ ଆଚରଣ ବିଧ ଲାଗୁ ହେବାର ପ୍ରଭାବ ଏହି ରାସ୍ତା କାମ ଉପରେ ପଡ଼ିବାର ନଥିଲେ ମଧ୍ୟ କାହିଁକି କେଜାଣି କାର୍ଯ୍ୟକୁ ସାମାନ୍ୟ ଆରମ୍ଭ କରି ପକେଇ ଦିଆଗଲା । ଗଡ଼ମଧୁପୁର ଠାରୁ ବରଡା ପର୍ଯ୍ୟନ୍ତ ରାସ୍ତାର ଯାତାୟାତ ଉପଯୋଗୀ ଥିବା ସ୍ଥଳେ କାର୍ଯ୍ୟ ଆରମ୍ଭରୁ ତାକୁ ତାଡି ପିଚୁ ଉଠେଇ ଏବେ ରାସ୍ତାରେ ଗେଟି ଗଡ଼ାଇ ଦେଇ ଛାଡି ଦିଆଯାଇଛି । ଫଳରେ ଧୂଳି ମିଶା ଗୋଡି ରାସ୍ତା ଉପରେ ବିଛେଇ ହୋଇ ରହିଥିବାରୁ ଯାତ୍ରୀଙ୍କୁ କଲବଲ କରୁଛି । ଗୋଟିଏ ଗାଡି ଆଗରେ ଗଲେ ପଛରେ ଏତେ ଧୂଳି ଉଡୁଛି ଯେ ଆଉ ଅନ୍ୟ ଯାତ୍ରା ଯିବା ଅସମ୍ଭବ ହୋଇପଡୁଛି । ବର୍ଷା ହେଲେ ପୋଖରୀର ଭ୍ରମ ସୃଷ୍ଟି ହୁଏ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବା ବେଳେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅଧା ବ୍ଲକର ଲୋକଙ୍କ ଜୀବନ ସହିତ ଖେଳ ଖେଳିଚାଲିଛି ପ୍ରଶାସନ । ତୁରଙ୍ଗ ବରଡା ରାସ୍ତା ଯାଜପୁର ଓ ପଡୋଶୀ ଢେଙ୍କାନାଳ ଜିଲାକୁ ସଂଯୋଗ କରୁଥିବା ରାସ୍ତା ଧର୍ମଶାଳା ବ୍ଲକର ଅଧା ଅଞ୍ଚଳର ଲୋକ ଢେଙ୍କାନାଳ ଜିଲାକୁ ଯାତାୟାତ କରିଥାନ୍ତି । ଢେଙ୍କାନାଳ ଜିଲାର ଲୋକେ ଏହି ରାସ୍ତା ଦେଇ ଯାଜପୁର ଜିଲାକୁ ଯାତାୟାତ କରିଥାନ୍ତି । ବିଶେଷ କରି ଧର୍ମଶାଳା ତହସିଲ ରାହାଡପୁର, ଡଙ୍କାରି, ଲୁଣିବର ଓ ବରଡା ମୌଜାରେ ଲିଜଥିବା ଶହ ଶହ ଏକର ପରିମିତ କଳାପଥର ଖଣିରୁ ଦୈନିକ ଶହ ଶହ ଟ୍ରିପ ହାଇୱା ଗାଡିରେ ପରିବହନ ହେଉଥିବା କଳାପଥର ଏହି ରାସ୍ତା ଦେଇ ଯାଇଥାଏ । ଏଥି ସହିତ ଶହେରୁ ଅଧିକ କ୍ରସର ଏହି ରାସ୍ତା ଉପରେ ନିର୍ଭରଶୀଳ । ଏହି କ୍ରସର ଓ ଖଣିରୁ ମାଲ ପରିବହନ ଦ୍ୱାରା ଏହି ରାସ୍ତା ଭାଙ୍ଗିରୁଳି ଯାଉଛି । ଠିକାଦାର ଆଉ କାମ କରିବାର ସମ୍ଭାବନା ଦେଖିବାକୁ ମିଳୁନି । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଚୂପ ବସିଛି । ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।