ରାସ୍ତାର ଗର୍ତ୍ତ, ବିପଦରେ ପଥଚାରୀଙ୍କ ଜୀବନ
ବୁଗୁଡ଼ା: ସ୍ଥାନୀୟ ମଦନ ମୋହନ ଛକରୁ ବଡଦାଣ୍ଡକୁ ଯିବା ବାଟରେ ମିଲ୍ ସମ୍ମୁଖରେ କଂକ୍ରିଟ୍ ପ୍ଲେଟ୍ ଭାଙ୍ଗି ଯାଇଥିବା ଫଳରେ ରାସ୍ତା ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଦୁର୍ଘଟଣାର କାରଣ ପାଲଟିଛି । ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଗର୍ତ୍ତ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ଅସାବଧାନତା ହେଲେ ସାଇକେଲ ଓ ବାଇକ୍ ଆରୋହୀ ଏହି କଣାରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ରାତ୍ରିକାଳରେ ବିଦୁ୍ୟତ୍ କାଟ ସମୟରେ ପଥଚାରୀଙ୍କ ଗୋଡ ସେହି କଣା ମଧ୍ୟରେ ଗଳି ପଡୁଥିବାରୁ ଆହତ ହେଉଛନ୍ତି । ତେବେ ଗତକାଲି ରାତିରେ ସେହି କଣାରେ ଏକ ଗାଈର ଗୋଡ ପଶିଯାଇ ଆହତ ହୋଇଥିବା ବେଳେ ସ୍କୁଟିରେ ଆସୁଥିବା ଏକ ଦମ୍ପତ୍ତି ସେହି କଣା ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଦୁର୍ଘଟଣାକୁ ଏଡାଇବା ପାଇଁ ସେହି ଗର୍ତ୍ତରେ ବାଡି ପୋତି ଲୋକଙ୍କୁ ସତର୍କ କରାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ବସ୍ ଚଳାଚଳରେ ଅସୁବିଧା ହେବାରୁ ତାହାକୁ ବାହାର କରିବାକୁ ବାଧ୍ୟ ହୋଇଥିଲେ । ଫଳରେ ପୁଣି ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ରାସ୍ତା ମଧ୍ୟସ୍ଥ ସେହି ବିପଦପୂର୍ଣ୍ଣ ଗର୍ତ୍ତ ପ୍ରତି ପ୍ରତିକାର ବ୍ୟବସ୍ଥା କରିବାକୁ ଏନ୍ଏସି ପ୍ରଶାସନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି ।