ଗଞ୍ଜାମର ୪ ଗ୍ରାମକୁ ଆଇଓସି-ୟୁନେସ୍କୀ ‘ସୁନାମୀ ପ୍ରସ୍ତୁତ ଗ୍ରାମ’ ର ମାନ୍ୟତା

 ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କ ଦ୍ୱାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ  ଦ୍ୱିତୀୟ ବିଶ୍ୱ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି  । ଏହା ସହ ଆଇଓସି-ୟୁନେସ୍କ ଦ୍ୱାରା ୨୦୨୦  ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଭେଙ୍କଟ ରାଇପୁରର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ରର ନବୀକରଣ କରାଯାଇଛି  । ଆଇଓସି-ୟୁନେସ୍କ?ର ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଉପୁଲାପୁଟି, ଗଞ୍ଜାମର ପ୍ରୟାଗି ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡାର ମାର୍କଣ୍ଡି ଏବଂ ଭେଙ୍କଟ ରାଇପୁରରେ କାର୍ଯ୍ୟକାରୀ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨  ଓ ୨୩  ତାରିଖରେ ଜାତୀୟ ସୁନାମି ପରିଷଦର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ପରିଦର୍ଶନ କରି ୧୨ଟି ସୂଚକାଙ୍କ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀସ୍ତରୀୟ ସୁନାମୀ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାରମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ୍ ଓ ପୋଷ୍ଟର ବିତରଣ, ସୁନାମି ପରିଚାଳନା ଯୋଜନାର ପ୍ରସ୍ତୁତି, ସୁନାମି ମକ୍ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହେର୍ଡିଂ ଏବଂ ସ୍ଥାନାନ୍ତରଣ ସାଇନେଜ୍ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ କରିଥିଲେ  । ଏହା ସହ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କକୁ ସୁପାରିଶ୍ କରିଥିଲେ  । ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ୨୦ ତମ ବାର୍ଷିକ ଭାରତ ମହାସାଗର ସୁନାମି କନକ୍ଲେଭରରେ ଇନକଇସ୍ ( ଓଘଉଙଓଝ) ହାଇଦ୍ରାବାଦ୍ ଠାରେ ଆଇଓସି-ୟୁନେସ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ ।  ଗତକାଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପାଞ୍ଚଟି ଗ୍ରାମର କମୁ୍ୟନିଟି ଲିଡର୍ ମାନେ ସାକ୍ଷାତ କରିବା ସହ  ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର  ଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଆୟୁଷି ପତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ  ।