ରାସ୍ତା ମଝିରେ ଗାତ : ଲୋକେ ହୀନସ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ 

 ରାଜନଗର : ରାଜନଗର ବ୍ଲକ ଜଳିଛକରୁ ଗୁପ୍ତି ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କଣ୍ଡିରା ପଞ୍ଚାୟତ ପଦ୍ମନାଭପୁର ଗାଁ ନିକଟ ରାଇମୁଣ୍ଡା ଛକ ରାସ୍ତା ମଝିରେ ବିରାଟକାୟ ଗାତ ସୃଷ୍ଟି ହୋଇଛି । ଯାହାଫଳରେ ଜଳିଛକ ଦେଇ ଗୁପ୍ତି ଷ୍ଟେଟବ୍ୟାଙ୍କକୁ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗୁପ୍ତିରୁ ବୋଟ ଯୋଗେ ପର୍ଯ୍ୟଟକଙ୍କ ଗାଡି ଗୁପ୍ତି ପଟରେ ନରହି ଏହି ରାସ୍ତା ଦେଇ ଡାଙ୍ଗମାଳ ଯାଇଥାଏ । ଏଠାରେ ରାସ୍ତା ଦବିଯିବା ଫଳରେ ଚାରିଚକିଆ ଯାନବାହାନ ଯିବା ଆସିବା କରିବା କଷ୍ଟକର ହେଉଛି । ନିକଟରେ ବିକଳ୍ପ ରାସ୍ତା ନଥିବାରୁ ଗାଡି ଚାଳକମାନେ ଏଠାରେ ହିନସ୍ତା ହେଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହା ତଳେ କଲଭର୍ଟ ରହିଛି । ସପ୍ତାହେ ପୂର୍ବରୁ ରାସ୍ତାରେ ବଡ ଗାତ ସୃଷ୍ଟି ହୋଇଥିବାରୁ ବଡପାଳ, ଚକମନପୁର, ପଦ୍ମନାଭପୁର, ଅର୍ଜୁନପୁର, ଶ୍ରୀବନ୍ତପୁର, ଶିଳପୋଖରୀ, ଭେକ୍ଟାକୋହ୍ଲା, ଭୀମସନଗର, ନଳଯୋଡି, ବଳରାମପୁର, ଈଶ୍ୱରପୁର, ନୂଆଗାଁ ପ୍ରଭୃତି ଲୋକେ ଗୁପ୍ତି ଷ୍ଟେଟବ୍ୟାଙ୍କକୁ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି । ସ୍ଥାନୀୟ ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ରାସ୍ତା ମଝିରେ ଗାତ ସୃଷ୍ଟି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ଘଟଣା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।