ମରଣଯନ୍ତା ପାଲଟିଛି ରାଜକନିକା-ଓଳାଭର ରାସ୍ତା
ରାଜକନିକା : ରାଜକନିକା-ଓଳାଭରର ଜୀବନରେଖା କୁହାଯାଉଥିବା ଅଶୋକ ବଜାରରୁ ଓଳାଭର ତାରିଣୀ ଛକ ପର୍ଯ୍ୟନ୍ତ ଆର୍ଆଣ୍ଡବି ବିଭାଗର ପାଞ୍ଚ କି.ମି ରାସ୍ତା ପାଲଟିଛି ମରଣଯନ୍ତା । କିନ୍ତୁ ଅନ୍ୟପଟେ ଏହି ରାସ୍ତା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କର ଲେଉଟିଆ କିଆରି ବୋଲି ଆଲୋଚନା ହେଉଛି । ଲଘୁଚାପ ଜନିତ ଟୋପାଏ ବର୍ଷା ହେଲେ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରୁଛି । ଆର୍ଆଣ୍ଡବି ଅଧୀନରେ ଥିବା ଏହି ମୁଖ୍ୟରାସ୍ତାରେ ପ୍ରତ୍ୟକ ଦିନ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ଏବେ ଏହା ଦୁର୍ଘଟଣାର ବାଟ ସାଜିଛି । ଓଳାଭରରୁ ଏହି ରାସ୍ତା ଦେଇ କଲିକତା, ରାଉରକେଲା, କଟକ, ଭୁବନେଶ୍ୱର, ବାଲେଶ୍ୱର ଆଦି ଅଞ୍ଚଳକୁ ଏକାଧିକ ଯାତ୍ରୀବାହୀ ବସ୍ ଯାତାୟତ କରିଥାଏ । ଏହାଛଡ଼ା ହଜାର ହଜାର ହାଲୁକା ଜାନ ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଏହାଛଡ଼ା ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲାଉଥିବା ଓଳାଭର ବଜାର ଉପରେ ବାହାର ବିଭିନ୍ନ ଜିଲ୍ଲାର କ୍ଷୁଦ୍ର ଓ ବୃହତ ଚାଷୀ ତଥା ବ୍ୟବସାୟୀ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ବାଲି ବୋଝେଇ ହାଇୱା ଯାତାୟତ କରିବା ଫଳରେ ରାସ୍ତା ସମ୍ପୂର୍ଣ୍ଣ ଖାଲଖମାରେ ଭରି ରହିଛି ।
ପ୍ରତ୍ୟକ ବର୍ଷ ବିଭାଗ ପକ୍ଷରୁ ଟେଣ୍ଡର କରାଯାଉଛି । ହେଲେ ରାସ୍ତାର ସ୍ଥାୟୀତ୍ୱ ପରିବର୍ତ୍ତେ ନିମ୍ନମାନର ପ୍ୟାଚ୍ ପକା କାମ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ହେଉଥିବା ଅଭିଯୋଗ ହୋଇଛି । କାମ ହେବାର ପନ୍ଦର ଦିନ ଭିତରେ ହିଁ ପୁଣି ରାସ୍ତା ଖାଲଖମାରେ ଭରି ଯାଉଛି । ସ୍ଥାନୀୟ ଲୋକ ଅଭିଯୋଗ କରିବାକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଆର୍ଆଣ୍ଡବି ବିଭାଗର କାର୍ଯ୍ୟାଳୟ ରାଜକନିକାରେ ନଥିବା ବେଳେ ବାବୁମାନେ ଆଳି-ପଟ୍ଟାମୁଣ୍ଡାଇରେ ବସି ଅୟସ କରୁଛନ୍ତି । ଫଳରେ ଏବେ ଓଳାଭର-ରାଜକନିକା ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ମୃତୁ୍ୟର ପଥ ପାଲଟିଛି । ତେବେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ବି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଭାବେ ଚାଲୁଥିବା ଭାରୀଯାନ ଗୁଡ଼ିକ ପ୍ରତି ଅଙ୍କୁଶ ଲଗାଇବା ସହ ରାସ୍ତାକୁ ଚିରସ୍ଥାୟୀ କରା ନଗଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା ଉତ୍ତେଜନା ଆନେ୍ଦାଳନର ରୁପ ନେବ ବୋଲି ଖବର ମିଳିଛି ।