ନାହିଁ ନିଷ୍କାସନ ବ୍ୟବସ୍ଥା, ନହକା ରାସ୍ତା ଜଳାର୍ଣ୍ଣବ
ବ୍ୟାସନଗର : ବର୍ଷା ହେଲେ ବିକାଶର ଚିତ୍ର ଫୁଟି ବାହାରିପଡେ । କୋଟି କୋଟି ଟଙ୍କାରେ ଗାଁରୁ ସହର ବିକାଶ ହେଉଛି ବୋଲି ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନୀକ ଅଧିକାରୀ ଭାଷଣ ମାରନ୍ତି । ହେଲେ ସହରରୁ ଗାଁକୁ ପଡ଼ିଥିବା ରାସ୍ତାର ପ୍ରବେଶ ପଥ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହୋଇପଡ଼ିଛି । ଆମେ କହୁଛୁ ବ୍ୟାସନଗର ପୈାରାଞ୍ଚଳରୁ କୋରେଇ ବ୍ଲକର ଖଇରାକୁ ପଡ଼ିଥିବା ରାସ୍ତାର କଥା । ନହକାରୁ ଖଇରାକୁ ପଡ଼ିଥିବା ଏହି ରାସ୍ତାଟି କୋରେଇ ବ୍ଲକର ଲାଇଫ ଲାଇନ ବୋଲି କୁହାଯାଇପାରେ । କୋରେଇ ବ୍ଲକର ଅଧା ପଞ୍ଚାୟତବାସୀ ଏହି ରାସ୍ତା ଦେଇ ବ୍ୟାସନଗର ସହର ଠାରୁ ଆରମ୍ଭ କରି କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଅନ୍ୟାନ୍ୟ ସ୍ଥାନକୁ ଯାତାୟତ କରିଥାନ୍ତି । ବସ ହେଉ କି ଟ୍ରେନରେ ଯିବାକୁ କୋରେଇ ବ୍ଲକର ହଜାର ହଜାର ଲୋକ ଦୈନିକ ଏହି ରାସ୍ତା ଦେଇ ଷ୍ଟେସନ ଏବଂ ଷ୍ଟାଣ୍ଡକୁ ଆସିଥାନ୍ତି । ଏହାସହ ଶ୍ରମଜୀବୀ, ବ୍ୟବସାୟୀ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି ।
କେବଳ ବ୍ଲକବାସୀନ୍ଦା ନୁହଁନ୍ତି ବ୍ୟାସନଗର ପୈାରାଞ୍ଚଳର ଏକାଧିକ ୱାର୍ଡବାସୀ ଏହି ରାସ୍ତା ଦେଇ ଚଳପ୍ରଚଳ କରିଥାନ୍ତି । ପୂର୍ତ ବିଭାଗ ଅଧିନ ଏହି ରାସ୍ତାର ପ୍ରବେଶ ପଥ ପ୍ରତି ଯେଭଳି ବିଭାଗର ଶୁଭଦୁଷ୍ଟି ନାହିଁ । ପୌରାଞ୍ଚଳରେ ଆସୁଥିଲେ ବି ରାସ୍ତା ନିର୍ମାଣ ଏବଂ ମରାମତି କରିବା ଦାୟୀତ୍ୱ ହେଉଛି ପୂର୍ତ ବିଭାଗର । ହେଲେ ବିଭାଗ କୈାଣସି ପର୍ବପର୍ବାଣୀରେ ଖାଲଖମାକୁ ମରାମତି କରି କାର୍ଯ୍ୟ ଶେଷ କରିଦେଇଥାଏ । ସଂପୃକ୍ତ ରାସ୍ତାଟି ବ୍ୟସ୍ତ ବହୁଳ ହୋଇଥିଲେ ବି ବିଭାଗ ଜନତାଙ୍କ ହିତଦୃଷ୍ଟିରେ କାର୍ଯ୍ୟ କରୁ ନଥିବାର ହେଉଛି ଅଭିଯୋଗ । ନହକା ଠାରେ ବର୍ଷା ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବା କଥା ବିଭାଗକୁ ଭଲ ଭାବେ ଜଣାଥିଲେ ବି ମୌସୁମି ଆସିବା ପୂର୍ବରୁ କୌଣସି ପଦକ୍ଷେପ ନିଆଗଲାନି । ଯାହାଫଳରେ ଏବେ ବର୍ଷାପାଣି ରାସ୍ତାରେ ଲହଡି ମାରୁଛି । ରାସ୍ତାରଉଭୟ ପାଶ୍ୱର୍ରେ ଖୋଲିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ମାଟି ବା ଡଷ୍ଟ ପକାଇ ଉଚ୍ଚା କରି ଦେବା ପରେ ପାଣିଗଡିବା ବାଟ ବନ୍ଦ ହୋଇଛି । ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଡ଼୍ରେନ କରିବାର ଆବଶ୍ୟକତା ରହିଥିଲେ ହେଁ ସେଦିଗରେ କିନ୍ତୁ ଆଗ୍ରହଦେଖାଉନି । ଯାହାର ପରିମାଣ ସ୍ୱରୂପ ରାସ୍ତା ଜଳାର୍ଣ୍ଣବ ହେଉଛି । ହେଲେ ପୂର୍ତ୍ତ ବିଭାଗ ଚେଇଁ ଶୋଇଛି । କୋରେଇ ବିଧାୟକ ଦୃଷ୍ଟି ଦେବାକୁ ରାସ୍ତା ଉପରେ ଚଳପ୍ରଚଳ କରୁଥିବା ନିର୍ବାଚନ ମଣ୍ଡଳୀବାସୀ ଦାବି କରିଛନ୍ତି ।