ଶିକ୍ଷକ ନିଯୁକ୍ତି ଦାବି

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳମଢିଆଳୀ ଗ୍ରାମପଞ୍ଚାୟତ ବଳିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି । ସୂଚନା ମୁତାବକ ପୂର୍ବରୁ ସ୍କୁଲଟି ସୁବର୍ଣ୍ଣମୁଖି ପ୍ରାଥମିକ ବିଦ୍ୟାଳୟ ନାମରେ ଥିଲା । ଏବେ ଏହାକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଉକ୍ତ ବିଦ୍ୟାଳୟରେ ୧୨୦ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଆଉ ଦୁଇ ଜଣ ଶିକ୍ଷକ ଅଛନ୍ତି ।
ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରୁଥିବା ବେଳେ, ଶିକ୍ଷାଦାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ଜଣ ଶିକ୍ଷକ ପାଠ ପଢ଼ାଇବା କଷ୍ଟକର ହୋଇପଡୁଛି । ଏପଟେ ପ୍ରଧାନଶିକ୍ଷକ ଜଣକ ଦୀର୍ଘ ୧୭ ବର୍ଷ ହେବ ଏଠାରେ ରହିଥିବା ବେଳେ, ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଭାବକ ଅଭିଯୋଗ କରିଛନ୍ତି  । ସ୍କୁଲ ବିଭିନ୍ନ ଭିତିଭୂମି ବିକାଶ କାର୍ଯ୍ୟ ଓ ପରିଚାଳନାରେ ପ୍ରଧାନ ଶିକ୍ଷକଙ୍କ ସ୍ୱଛତା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ଚନ୍ଦ୍ର ଜେନା, ଅଭିଭାବକ ଭାଗିରଥି ସେଠୀ, ବସନ୍ତ ଜେନା, ଲକ୍ଷ୍ମଣ ଜେନା, ବିଷ୍ଣୁ ଚରଣ ସାହୁ, ଦୋଳଗୋବିନ୍ଦ ସାହୁ, କିଶୋର ଚନ୍ଦ୍ର ସେଠୀ ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିର ତରାଇଙ୍କୁ ଏନେଇ ଅଭିଯୋଗ କରିଛନ୍ତି । ପ୍ରଧାନଶିକ୍ଷକଙ୍କ ଅନ୍ୟତ୍ର ବଦଳି ସହିତ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏହା ଉପରେ ଯଥାଶୀଘ୍ର ଦୃଷ୍ଟି ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣାଇଛନ୍ତି ।