ନଦୀରେ ଲୀନ ହେଲା ବିକଳ୍ପ ରାସ୍ତା

 ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିରୁ କୋସ୍କାକୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ କୁଆଁରିଆ ସେତୁଟି ଗତ ୨ ବର୍ଷ ତଳେ ଭାଙ୍ଗି ପଡିଥିଲା । ଫଳରେ ଏହିରାସ୍ତାଦେଇ ଯାନବାହାନ ଚଳା ଚଳ ବାଧାପ୍ରାପ୍ତ ହେବାସହ ଅଞ୍ଚଳବାସୀ ଯାତାୟତ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । କୁଆଁରିଆ ନଦୀ ଉପରେ ଏକ ଉଚ୍ଚତମ ସେତୁ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା ପୂର୍ତ୍ତବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ  ହୋଇଥିଲେ ହେଁ ଅଦ୍ୟାବଧି ସେତୁ ନିର୍ମାଣ କାର୍ଯ୍ୟ ଲଗାଣ ବର୍ଷା ଯୋଗୁଁ ଆଗେଇ ପାରୁନାହିଁ । ତେବେ ଉକ୍ତ ଭଗ୍ନ କୁଆଁରିଆ ସେତୁ ପାର୍ଶ୍ୱରେ ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ଏକ ବିକଳ୍ପ ରାସ୍ତା (ବାଇପାସ) ନିର୍ମାଣ କରାଯାଇଥିଲା । ଏଥି ନିମନ୍ତେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି । ଗତ ୬ ମାସ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତା କୁଆଁରିଆ ନଦୀର ପ୍ରଖର ସ୍ରୋତରେ ଭାଙ୍ଗି ଯାଇ ନଦୀ ଗର୍ଭରେ ଏବେ ଲୀନ ହୋଇଥିବା ଜଣାପଡିଛି । ଫଳରେ ବିକଳ୍ପ ରାସ୍ତାଦେଇ ଅପରପାର୍ଶ୍ୱକୁ ଯାତାୟତ ସମ୍ପୁର୍ଣ୍ଣ ରୂପେ ଠପ ହୋଇଯାଇଥିବା ବେଳେ, ସରକାରୀ ଅନୁଦାନ ଅର୍ଥ ପାଣିରେ ପଡିବା ସାର ହୋଇଛି । ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ କୁଆଁରିଆ ନଦୀ ଉପରେ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀଙ୍କ ଠାରୁ ଖବରପାଇ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ପୂର୍ତ୍ତବିଭାଗ ଯନ୍ତ୍ରୀ ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ତେବେ ବର୍ଷାଋତୁ ପରେ କୁଆଁରିଆ ସେତୁ ନିର୍ମାଣ କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ ସେ ଦିଗରେ ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ କୋସ୍କା,କୁମ୍ଭାରପଡ଼ା,ରୟତ ଢୋଲମରା,ବଳଭଦ୍ରପ୍ରସାଦ ପଞ୍ଚାୟତବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାଟି ଖଣ୍ଡପଡାରୁ ଖଳିସାହି, କୋସ୍କା ଆଡକଟା ଛକ ଦେଇ ନିକଟସ୍ଥ ଦଶପଲ୍ଲାକୁ ସଂଯୋଗ କରୁଥିବା ଜଣାପଡିଛି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।