ରାସ୍ତା ଶୋଚନୀୟ, ହନ୍ତସନ୍ତ ଜନତା
ବନ୍ତରୁ ରମେଶ ଚନ୍ଦ୍ର ପତି: ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଗମନାଗମନ ପାଇଁ ପକ୍କା, ପିଚୁ ରାସ୍ତା ନିର୍ମାଣ କରିଥାନ୍ତି । ସୁବିଧାରେ ମେଡିକାଲ, ସଦରମହକୁମା, ବ୍ଲକ, ତହସିଲ ସମେତ ବିଭିନ୍ନ କାର୍ଯ୍ୟରେ ଗମନାଗମନରେ ସୁବିଧା ହୋଇପାରିବ । କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଅଧ୍ୟାବଧି ଗ୍ରାମକୁ ସଠିକଳ ରାସ୍ତା ଖଣ୍ଡେ ନାହିଁ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ୧୦ନମ୍ୱର ୱାର୍ଡ ନଈପାରିଗଢିଆ ଗ୍ରାମରେ । ଏହି ଗ୍ରାମର ପ୍ରାୟ୧କିମିରୁ ଉର୍ଦ୍ଧ ଗ୍ରାମ୍ୟ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।ଗ୍ରାମକୁ ଯାଇପାରୁନି ଅତି ଜରୁରୀକାଳୀନ ସେବା ଆମ୍ବଲାନ୍ସ ଓ ଦମକଳ । ଅନେକସମୟରେ ଛୋଟବଡ଼ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ଅସରାଏ ବର୍ଷା ହେଲେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି ଯାଇ ପାରୁନାହାନ୍ତି ପିଲା । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମର ପ୍ରାୟ ୫୦୦ରୁ ଉର୍ଦ୍ଧ ଲୋକଙ୍କ ସମେତ ଏହି ରାସ୍ତା ଦେଇ ବାଲୋ, ଜଉଗଢ଼ିଆ, ରାମକୃଷପୁର ଲୋକେ ମଧ୍ୟ ଯିବାଆସିବା କରିଥାନ୍ତି । ରାସ୍ତାରେ ବଡ଼ବଡ଼ ଖାଲରେ ବର୍ଷାପାଣି ଭର୍ତ୍ତି ହୋଇ କୃତିମ ହ୍ରଦର ଭ୍ରମସୃଷ୍ଟି କରୁଛି । ଅନେକ ରାସ୍ତା ମାଟି କାଦୁଆରେ ଭର୍ତ୍ତି ଦେଖିବାକୁ ମିଳିଛି ।ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।