ଜାତୀୟ ଉଦ୍ୟାନ ରାସ୍ତା ବିପର୍ଯ୍ୟସ୍ତ 

ରାଜନଗରରୁ ବସନ୍ତ କୁମାର ହାତୀ : ରାଜନଗର ବ୍ଲକର ଜୀବନରେଖା ଭାବେ ପରିଚିତ ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତାର ଖୋଳାଠାରୁ ଭିତରକନିକା ଜାତୀୟ ଉଦ୍ୟାନ ମୁଖ୍ୟ ଗେଟ ଯାଏ ରାସ୍ତା ଅବସ୍ଥା ନକହିଲେ ଭଲ  । ଏହି ରାସ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ପୂର୍ତ୍ତ ବିଭାଗ ୨୦୨୨ରେ ୯କିଲୋମିଟର ରାସ୍ତାକୁ ପୁନଃନିର୍ମାଣ କରିବା ପାଇଁ ୯କୋଟି ୮୯ଲକ୍ଷ ୯୧ହଜାର ୮୧୮ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କରାଇଥିଲେ ।  ଠିକାସଂସ୍ଥା ୨୦୨୨ରୁ କାମ ଆରମ୍ଭ କରି ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା କାମ କରିବା ପାଇଁ ଠିକାସଂସ୍ଥା ଚୁକ୍ତି କରିଥିଲା । ଏହି ୯କିଲୋମିଟର ରାସ୍ତାରୁ ମାତ୍ର ଦୁଇଟି ସ୍ଥାନରେ ୬୦ରୁ ୭୦ ମିଟର କାମ କରି ଅଧାପନ୍ତରିଆ ଅବସ୍ଥାରେ ଛାଡି ଚାଲି  ଯାଇଛି । ଏପରିକି ଏହି ରାସ୍ତା ଯେତିକି ନିର୍ମାଣ ସରିଛି ତାହା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ସାମାନ୍ୟ ବର୍ଷାରେ ପାଣି ଜମିରହି ନାଳର ଭ୍ରମ ସୃଷ୍ଟି କରୁଛି । ଖମାରସାହି ବଜାର ଶେଷରୁ ଡାଙ୍ଗମାଳ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଏ ରାସ୍ତାର ଅଦେ୍ର୍ଧକ ନିର୍ମାଣ ସରିଛି । ଅନ୍ୟ ଫାଳକରେ ରଡ ବାହାରଥିବାରୁ ସାମାନ୍ୟ ଅସାବଧାନ ହେଲେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସେହିପରି ଜୟଦୂର୍ଗାଙ୍କ ଗେଟ ନିକଟରୁ ଭିତରକନିକା ଜାତୀୟ ଉଦ୍ୟାନ ଗେଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇପାରିନାହିଁ । ଏବେ ଚାଲିଛି ପର୍ଯ୍ୟଟନ ଋତୁ । ଏହି ରାସ୍ତା ଉପରେ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ସ୍ଥଳପଥରେ ଆସିଥାନ୍ତ । ଖାଲି ସେତିକି ନୁହେଁ, ଏହି ରାସ୍ତା ବ୍ଲକ ସଦର ମହକୁମାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ବସ, ଟ୍ରକ, ବାଇକ ଯିବା ଆସିବା କରିଥାଏ । ମୁଖ୍ୟତଃ ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଞ୍ଚାୟତର ଲୋକେ ବ୍ଲକ ସଦର ମହକୁମାକୁ ଯାଇଥାନ୍ତି । ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ପଚାଂୟତଗୁଡିକରୁ ଗୁରୁତର ରୋଗୀମାନଙ୍କୁ ବ୍ଲକ ତଥା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା କଷ୍ଟକର ହେଉଛି । ଖୋଳା ନିକଟରୁ ନଳିତାପାଟିଆ ଯାଏଁ ପିଚୁ ହେବାର ବ୍ୟବସ୍ଥା ରହିଛି । ନଳିତାପାଟିଆଠାରୁ ଜାତୀୟ ଉଦ୍ୟାନ ଗେଟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏକପାଖିଆ ନିର୍ମାଣ ହୋଇଥିବାରୁ ଅନ୍ୟପଟ ରାସ୍ତା ଫୁଟରୁ ଉଦ୍ଧ୍ୱର୍ ଖାଲରେ ପରିଣତ ହୋଇଛି । ରାସ୍ତା ନିର୍ମାଣ ଶେଷ ହବାର ଅବଧିକୁ ଏକ ବର୍ଷ ଚାରିମାସ ଚାଲିଲାଣି । ମାତ୍ର ଠିକାସଂସ୍ଥାର ଦେଖାନାହିଁ । ଯାହାଫଳରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସଂପର୍କରେ ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନଟବର ପ୍ରଧାନଙ୍କୁ ପଚାରିବାରୁ ଠିକାସଂସ୍ଥା କାମ କରୁନଥିବା ନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ଠିକାସଂସ୍ଥାକୁ ନୋଟିସ ଜାରୀ କରିଛୁ । ନୟମାନୁଯାୟୀ ଠିକାସଂସ୍ଥା କାମ ନକଲେ ତାର ଟେଣ୍ଡର ବାତିଲ କରି ପୁନର୍ବାର ଟେଣ୍ଡର କରି କାମ ନୂଆ ଠିକାସଂସ୍ଥା ସହାୟତାରେ କାମ ଶେଷ କରାଯିବ ବୋଲି କହିଛନ୍ତି ।