ସାହି ରାସ୍ତା ମରାମତି କରିବା ପାଇଁ ଦାବି
ାା ପ୍ରଭାନୁ୍ୟଜ ।ା ବେତନଟୀ: ପାଖେଇ ଆସୁଛି ଦୁର୍ଗାପୂଜା । ବେତନଟୀ ସହରରେ ଦୁର୍ଗାପୂଜା ଓ ରାବଣ ପୋଡି ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଏହା ସହିତ ସହରରେ ବହୁ ସଂଖ୍ୟାରେ ଦୋକାନ ବଜାର ବସିଥାଏ ଏବଂ ଅପେରା ପାର୍ଟି ଯାତ୍ରା ପ୍ରଦର୍ଶନ କରିଥାନ୍ତି । ଦଶହରାରେ ଭସାଣୀ ମେଢ ଏବଂ ରାବଣ ପୋଡି ଦେଖିବା ପାଇଁ ପ୍ରତି ବର୍ଷ ଚାଲିଶ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହୋଇଥାଏ । ହେଲେ ସହରରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବେତନଟୀ ଓ ସଠିଲୋ ଦୁଇଟି ପଞ୍ଚାୟତର ସରପଞ୍ଚମାନେ ହିଁ ସହରର ପରିମଳ, ରାସ୍ତାଘାଟ ଓ ଷ୍ଟ୍ରିଟ ଲାଇଟ ଦାୟିତ୍ୱ ସଂପାଦନ କରିଥାନ୍ତି । ବେତନଟୀ ପଞ୍ଚାୟତର ସରପଞ୍ଚ ପୂର୍ବରୁ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପୁଣି ୨୦୨୨ରେ ମଧ୍ୟ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ହେଁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ପ୍ରକାଶ ଯେ, ବେତନଟୀ ସହରର ମୁଖ୍ୟ ୱାର୍ଡ ଭୋଗବାଟି ହୋଇଥିଲେ ବି ଏହି ୱାର୍ଡର ଚଣ୍ଡୀମନ୍ଦିର ଛକ ଠାରୁ ହରଗୌରୀ ପ୍ରେସ୍ ଗଳି ରାସ୍ତାର ମାତ୍ର ଦେଢଶହ ମିଟର ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତାରେ ବର୍ଷାପାଣି ଜମି ରହି କାଦୁଅ ହେଉଥିବା ଯୋଗୁଁ ସାହିର ଲୋକମାନେ ଘରୁ ବାହାରି ପାରନ୍ତି କି ପିଲାମାନେ ସ୍କୁଲକୁ ଯାଇ ପାରିନଥାନ୍ତି । ଏହି କଦର୍ଯ୍ୟ ରାସ୍ତାଟିକୁ କଂକ୍ରିଟ କରିବା ପାଇଁ ୧୬ ନମ୍ବର ଭୋଗବାଟିର ୱାର୍ଡ ବାସିନ୍ଦାମାନେ ବାରମ୍ବାର ଦାବି କରି ଆସିବା ସତ୍ତ୍ୱେ ଏବଂ ଲିଖିତ ଭାବେ ଜଣାଇ ମଧ୍ୟ ସରପଞ୍ଚ କର୍ଣ୍ଣପାତ କରିନଥାନ୍ତି । ସେହିପରି ଏହି ୱାର୍ଡର ବସ୍ଷ୍ଟାଣ୍ଡରୁ ଗୁପ୍ତା ଅଟାକଳ ପର୍ଯ୍ୟନ୍ତ ଦୁଇଶହ ମିଟର ରାସ୍ତାରେ ବର୍ଷା ପାଣି ଜମି ରହି ମଇଳା ପାଣି ପ୍ରବାହିତ ହୋଇଥାଏ ଏବଂ ଲୋକଙ୍କ ଘରେ ପାଣି ପଶିଥାଏ । ବାରମ୍ବାର ଏହି ଦୁଇସାହିର ବାସିନ୍ଦାମାନେ ସରପଞ୍ଚଙ୍କ ଠାରେ ଅଭିଯୋଗ କରି ସୁଦ୍ଧା ଜଳ ନିଷ୍କାସନ ସହିତ କଂକ୍ରିଟ ରୋଡ୍ କରା ନ ଯିବା ଯୋଗୁଁ ପଞ୍ଚାୟତରାଜ ପକ୍ଷରୁ ପଞ୍ଚାୟତମାନଙ୍କୁ ଆସୁଥିବା କୋଟି କୋଟିର ଅନୁଦାନ ସଦ୍ ବିନିଯୋଗ ହେଉ ନ ଥିବା ଅଭିଯୋଗ ହୋଇଛି ।