ନାହିଁ ଆନୁଷଙ୍ଗିକ ବ୍ୟବସ୍ଥା : ଆୟ ବୃଦ୍ଧିରେ ସହାୟକ ହେଉନି କଲ୍ୟାଣ ମଣ୍ଡପ 

ରଗଡ଼ି:  ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ମାର୍କେଟ କମ୍ପ୍ଲେକ୍ସ କଲ୍ୟାଣରେ ଲାଗୁନି କି ଆୟ ବୃଦ୍ଧିରେ ସହାୟକ ହେଉନି । ଭିତି ପ୍ରସ୍ତରକୁ ୯ବର୍ଷ ବିତି ଯାଇଥିଲେ ବି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଲକ୍ଷାଧିକ ଟଙ୍କାର କଲ୍ୟାଣ ମଣ୍ଡପ ତାଲା ପଡ଼ିରହିଛି । କୋରେଇ ବ୍ଲକ ପଛିକୋଟ ପଂଚାୟତ ଆୟ ବୃଦ୍ଧିରେ ସହାୟକ ପାଇଁ ୧୪.୮.୨୦୧୬ ତାରିଖରେ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ଏହାର ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ତେବେ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଆନୁସଙ୍ଗିକ ପାନୀୟଜଳ, ବିଦୁ୍ୟତ କରଣ, ରୋଷେଇ ଶାଳା ଓ ପାଚେରୀ ବ୍ୟବସ୍ଥା ନଥିବାରୁ ଏହା କାମରେ ଲାଗି ପାରୁନାହିଁ । ଏସବୁ ବ୍ୟବସ୍ଥା କରାଯିବାକୁ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ପଞ୍ଚାୟତ ପକ୍ଷରୁ ଦିଆଯାଇଛି । ବର୍ତମାନର ବିଧାୟକଙ୍କ ଦ୍ୱାରା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ବାକି ରହିଥିବା କାର୍ଯ୍ୟ ପ୍ରତି ସେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।