ଷ୍ଟେଟ୍ ବ୍ୟାଙ୍କରେ ଡିଜି ଅଚଳ, ଗ୍ରାହକ ହନ୍ତସନ୍ତ
ଚମ୍ପୁଆରୁ ଶୁଶାନ୍ତ ମହନ୍ତ: ଚମ୍ପୁଆ ବ୍ଲକର ସର୍ବପୁରାତନ ଚିମିଳା ଷ୍ଟେଟ୍ ବ୍ୟାଙ୍କରେ ଅଧିକାଂଶ ସମୟରେ ବିଦୁ୍ୟତ ଓ ଡିଜି ଅଚଳ ଯୋଗୁଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଫଳରେ ନାହିଁ ନଥିବା ସମସ୍ୟାରେ ଘାଂଟି ହେଉଛନ୍ତି ଶହଶହ ଜମାକାରୀ । ଲିଙ୍କ ଫେଲ ଯୋଗୁଁ ବ୍ୟାଙ୍କରୁ ଟଙ୍କା ଉଠାଣ, ଜମା ଗ୍ରହଣ ଓ ଟଙ୍କା ଟ୍ରାନସଫର ଭଳି ସମସ୍ୟାରେ ଆଉଟପାଉଟ ହେଉଛନ୍ତି ୪ଟି ପଞ୍ଚାୟତର ଶହ ଶହ ଗ୍ରାହକ । ଚିମିଳା ଷ୍ଟେଟ ବ୍ୟାଙ୍କରେ ଏପରି ଅଚଳାବସ୍ଥା ବର୍ଷ ବର୍ଷ ଧରି ଲାଗି ରହିଛି । ବିଦୁ୍ୟତ ଓ ଇଂଟରନେଟ ଅଭାବରୁ ବ୍ୟାଙ୍କ ସେବା ସଂପୂର୍ଣ୍ଣ ଠପ୍ ହୋଇପଡିଛି । ଡିଜି ଅଚଳ ନେଇ ଏହାର ମାଲିକ ମିସ୍ତ୍ରୀ ଆଣି କାମ କରିବାରେ ବିଳମ୍ବ ହେଉଥିବା ଜାଣିବାକୁ ମିଳିଥିଲା । ଏ ବାବଦରେ ବ୍ୟାଙ୍କ ଶାଖା ପରିଚାଳକ ଦାୟିତ୍ୱରେ ଥିବା ଜ୍ଞାନରଂଜନ ପରିଡାଙ୍କୁ ପଚାରିବାରୁ ମୁଁ ଡେପୁଟେସନରେ ଆସିଛି କିନ୍ତୁ ଏ ବାବଦରେ ଏସବିଆଇ ଆଂଚଳିକ କାର୍ଯ୍ୟାଳୟକୁ ଜଣାଇସାରିଛୁ । ତେବେ ପ୍ରଶ୍ନ ଉଠେ ଜଣେ ଯଦି ଡିଜି ସେବା ଯୋଗଇଦେବାରେ ବିଫଳ ଅନ୍ୟ ସଂସ୍ଥାକୁ ଏ ଦାୟିତ୍ୱ କାହିଁକି ଦିଆଯାଉନାହିଁ । ଏ ବାବଦରେ କେନ୍ଦୁଝରସ୍ଥିତ ଆଂଚଳିକ ମ୍ୟାନେଜର କମଳ ଲୋଚନ ଷଡଙ୍ଗୀଙ୍କୁ ପଚାରିବାରୁ ମୁଁ ତୁରନ୍ତ ଏହାର ସମାଧାନ କରୁଛି ବୋଲି କହିଥିଲେ । ସ୍ମରଣଯୋଗ୍ୟ କି ବିଦୁ୍ୟତ କାଟ ପାଇଁ ଆଗୁଆ ସୂଚନା ଦିଆଯାଇଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏପରି ଦାୟିତ୍ୱହୀନତା ଯୋଗୁଁ ଶହଶହ ଗ୍ରହକ ଅଯଥାରେ ହଇରାଣ ହେବା ସହ ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଛନ୍ତି । ଅସହ୍ୟ ଗରମ ସହ ତାତି ଲାଇଟ୍, ଫ୍ୟାନ୍, ଇଣ୍ଟରନେଟ ସେବା ବନ୍ଦ, ଅନ୍ଧାରିଆ ପରିବେଶ ଆଦି ଷ୍ଟାଫ୍ ଓ ଗ୍ରାହକଙ୍କ ଦୁର୍ଦ୍ଦଶା ବଢାଉଥିବା ଦେଖିବାକୁ ମିଳିଥିଲା । ନିଜର ଟଙ୍କା ଥାଇ ବ୍ୟାଙ୍କର ଅଚଳାବସ୍ଥା ଯୋଗୁଁ ଗ୍ରାହକମାନେ ସେମାନଙ୍କ ଜରୁରୀ କାଳିନ ପରିସ୍ଥିତିର ମୁକାବିଲା କରିପାରୁନଥିବା କ୍ଷୋଭର ସହିତ ପ୍ରକାଶ କରିଥିଲେ । ଏବେ ପାର୍ବଣ ପର୍ବ ଆସୁଥିବାରୁ ଗ୍ରାହକ ମାନେ ଯେପରି ଉପଯୁକ୍ତ ବ୍ୟାଙ୍କ ସେବା ପାଇବାରେ ସେଥିପ୍ରତି ବ୍ୟାଙ୍କ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।