ଅସମ୍ପୂର୍ଣ୍ଣ ହୋଇ ପଡିଛି ରାସ୍ତା, ତୁରନ୍ତ ନିର୍ମାଣ ପାଇଁ ଦାବି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ସୀମାନ୍ତ କୁରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗୋହିରାଟିକିରି ଓ ଧାମନଗରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କିଛି ଅଂଶ ଅନେକ ଦିନ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ଦୋବଲ ଧାମନଗର ପୂର୍ତ୍ତ ବିଭାଗ ରାସ୍ତାର ଦକ୍ଷିଣବାଡ଼ ଛକ ଠାରୁ ଐତିହାସିକ ଗୋହିରାଟିକିରି ପୀଠକୁ ଉକ୍ତ ରାସ୍ତାଟି ନିର୍ମାଣ ହୋଇଛି । ଏକଦା ରାଜା ମୁକୁନ୍ଦଦେବଙ୍କର ଏହା ଗମନାଗମନ ପଥ ଭାବେ ପରିଚିତ ଥିଲା । ପୂର୍ବରୁ ଉକ୍ତ ପଥଟି ଦୀର୍ଘ ବର୍ଷ ଧରି କଚ୍ଚା ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତାଟିର ପୁନରୁଦ୍ଧାର ହୋଇଥିଲା । ଗୋହିରାଟିକିରି ପୀଠରୁ ଗୋବିନ୍ଦାଗଡ଼ିଆ ଦେଇ ଗୌଡ଼ବିଶି ନୂଆପଡା ଯାଏଁ କଂକ୍ରିଟ ନିର୍ମାଣ ହୋଇଥିବା ବେଳେ ସେଠାରୁ ଦକ୍ଷିଣବାଡ଼ ଛକ ଯାଏଁ ରାସ୍ତାଟି ପିଚ ନିର୍ମାଣ ହୋଇଛି । ପ୍ରଥମ ପର୍ଯ୍ୟାୟ କାମ ପରେ ଦ୍ୱିତୀୟ ପର୍ଯ୍ୟାୟରେ ରକ୍ଷଣାବେକ୍ଷଣ ବାବଦୀୟ କାର୍ଯ୍ୟ ହୋଇ ସାରିଥିଲେ ସୁଦ୍ଧା ରାସ୍ତା ଏବେବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ରାସ୍ତାର ବାହାଳି ପୋଲ ନିକଟରେ ପ୍ରାୟ ୨୦୦ମିଟର କଂକ୍ରିଟ ଭାଙ୍ଗି ମାଟିରେ ମିଶିବାକୁ ବସିଲାଣି । ନିର୍ମାଣ ହୋଇଥିବା ପାଦ ଚଲା ପୋଲଟି ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ସ୍ଥାନଟି ଜଳ ନିଷ୍କାସନ ପଥ ଭାବେ ରହିଥିବା ବେଳେ ଏଠାରେ ଏକ ବକ୍ସେଲ ପୋଲ ନିର୍ମାଣ ପାଇଁ ମଧ୍ୟ ଅଞ୍ଚଳବାସୀ ଅନେକ ବାର ଦାବି ଜଣାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରସ୍ତୁତ କରିଥିବା ଆକଳନ ପତ୍ରରେ ପୋଲ ପାଇଁ ପ୍ରସ୍ତାବ ରଖିନଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ବେଳେ ଏହା ଅସମ୍ପୂର୍ଣ୍ଣ ଭାବେ ରହିଯାଉଛି । ଏପଟେ ୨୦୦ମିଟର ଜରାଜୀର୍ଣ୍ଣ ରାସ୍ତା ପାଇଁ ଛୋଟମୋଟ ଦୁର୍ଘଟଣା ମାନ ଘଟୁଥିବା ବେଳେ ନିର୍ମାଣାଧୀନ ଛୋଟ ପୋଲଟିର ସୁରକ୍ଷା ପ୍ରାଚୀର ନଥିବାରୁ ସୁରକ୍ଷିତ ଭାବେ ଯାନବାହନ ଚଳାଚଳ କରିପାରୁନାହିଁ । ଏନେଇ ଧାମନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବାରୁ ୨୦୦ମିଟର ଅସମ୍ପୂର୍ଣ୍ଣ କାର୍ଯ୍ୟ ସହିତ ବିପଦ ସଂକୁଳ ନିର୍ମାଣଧୀନ ପୋଲ କଥା ସ୍ୱୀକାର କରିଥିବା ବେଳେ ଯଥାଶୀଘ୍ର କାମ ହୋଇଯିବ ବୋଲି କହିଛନ୍ତି । ତେବେ ସେ ଯାହାବି ହେଉ ଆଗକୁ ବର୍ଷା ଋତୁ ଆସୁଥିବାରୁ ଏହା ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।