ଲଣ୍ଡନ୍‌ରେ ଜୟଶଙ୍କରଙ୍କ କନଭୟ ରୋକିବାକୁ ତ୍ରିରଙ୍ଗା ଚିରି କଲେ ହଙ୍ଗାମା

ଲଣ୍ଡନ୍‌ରେ ଜୟଶଙ୍କରଙ୍କ କନଭୟ ରୋକିବାକୁ ତ୍ରିରଙ୍ଗା ଚିରି କଲେ ହଙ୍ଗାମା

ଗୁରୁବାର ଲଣ୍ଡନରେ ଏକ ଚିନ୍ତାଜନକ ଘଟଣା ଘଟିଛି । ଏଠାରେ ଖଲିସ୍ତାନ ସମର୍ଥକମାନେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ କନଭୟ ରୋକିବାକୁ ଚେଷ୍ଟା କରିଥିଲେ । ଚାଥାମ ହାଉସ ଥିଙ୍କ୍‌ ଟ୍ୟାଙ୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପରେ ଜୟଶଙ୍କର ତାଙ୍କ କାରରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ କେବଳ ତାଙ୍କ କନଭୟ ରୋକିବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ, ସେଠାରେ ନାରାବାଜି କରିବା ସହ ଭାରତର ଜାତୀୟ ପତାକାକୁ ମଧ୍ୟ ଚିରି ଦେଇଥିଲେ, ଯାହା ସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରିଥିଲା । 

ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର ଆଡ଼କୁ ଦ୍ରୁତ ଗତିରେ ଦୌଡ଼ି ଆସୁଛନ୍ତି ।  ଲଣ୍ଡନ ପୋଲିସ ସାମ୍ନାରେ ତ୍ରିରଙ୍ଗାକୁ ଚିରି ଦେଉଛନ୍ତି ଆନ୍ଦୋଳନକାରୀ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଘଟଣା ସତ୍ତ୍ୱେ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀମାନେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଭଳି ମନେ ହେଉନଥିଲା । ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଚାଥାମ ହାଉସ ବାହାରେ ପୂର୍ବରୁ ଅନେକ ଖଲିସ୍ତାନୀ ସମର୍ଥକ ଏକାଠି ହୋଇଥିଲେ, ପତାକା ଦେଖାଇ ସ୍ଲୋଗାନ ଦେଇ ପ୍ରତିବାଦ କରୁଥିଲେ । ଜୟଶଙ୍କରଙ୍କ କାର୍ଯ୍ୟକ୍ରମ ସମୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମାର୍ଚ୍ଚ ୪ରୁ ୯ ତାରିଖପର୍ୟ୍ୟନ୍ତ ୟୁନାଇଟେଡ୍ କିଙ୍ଗଡମ୍‌ ଏବଂ ଆୟର୍ଲାଣ୍ଡକୁ ସରକାରୀ ଗସ୍ତରେ ଅଛନ୍ତି । ଭାରତ ଏବଂ ଏହି ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ମଝବୁତ କରିବା ଲକ୍ଷ୍ୟରେ ବୈଦେଶିକ ମନ୍ତ୍ରୀ ଏହି ଗସ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଭାରତ ଏବଂ ୟୁକେ ମଧ୍ୟରେ ଏକ ବ୍ୟାପକ ରଣନୈତିକ ସହଭାଗିତା ରହିଛି । ଯାହା ପ୍ରତିରକ୍ଷା, ବାଣିଜ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିଛି । ଜୟଶଙ୍କରଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ବୃଦ୍ଧି କରିବା । ତେବେ ଲଣ୍ଡନରେ ହୋଇଥିବା ଏହି ଘଟଣା ବିଦେଶରେ ଭାରତୀୟ ଅଧିକାରୀଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି ।