ଭାରତ ଅର୍ଥନୀତି ପାଇଁ ପରୀକ୍ଷାର ବେଳ
ବଳରାମ ରଣସିଂହ : ଏଇ ନିକଟରେ ଭାରତର ଜିଡ଼ିପି ୪.୧୯ ଲକ୍ଷ କୋଟି ଡଲାରରେ ପହଁଚିଛି । ଜାପାନ ଭଳି ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତିକ ଶକ୍ତିର ମାନ୍ୟତା ପାଇଛି । ଯାହାକୁ ନେଇ ଶାସକ ବିଜେପି ଉତ୍ସବର ମାହୋଲ କରିବା ସ୍ୱାଭାବିକ କଥା । ସେପଟେ ନିନ୍ଦୁକ ଏଭଳି ସଫଳତା ସତ୍ତ୍ୱେ ନକରାତ୍ମକ ବାର୍ତ୍ତା ଦେବାରେ ହେଳା କରିନାହାନ୍ତି । ସେମାନଙ୍କ ଯୁକ୍ତି ହେଉଛି, ଆମ ଦେଶର ଜନସଂଖ୍ୟା ୧୪୦ କୋଟି । କିନ୍ତୁ ଆର୍ଥିକ କ୍ଷେତ୍ରରେ ଆମେ ଚାରି ନମ୍ବରରେ ରହିବା କେଉଁ ବଡ଼ କଥା ?
ମୋଦି ବିରୋଧୀଙ୍କ ଏଭଳି ପ୍ରଶ୍ନ ଶୁଣି, ଆମ ମନରେ ସ୍ୱତଃ କେତେକ ପ୍ରଶ୍ନ ଉଙ୍କି ମାରୁଛି । ମନେକର ଜଣଙ୍କ ପରିବାରରେ ୧୦ ଜଣ ଅଛନ୍ତି । ଯଦି ସମସ୍ତେ ଚାଷୀବନ୍ଦୀ ହୋଇଥିବେ ତେବେ ବାର୍ଷିକ ଆୟ ୫ ଲକ୍ଷ ଭିତରେ ରହିବା ସ୍ୱାଭାବିକ । କିନ୍ତୁ ଅନ୍ୟ ଗୋଟିଏ ପରିବାରରେ ୪ ଜଣ ଅଛନ୍ତି । ଯଦି ସେମାନେ ସମସ୍ତେ ଚାକିରି କରୁଥିବେ ବା ବ୍ୟବସାୟ କରୁଥିବେ ତେବେ ସେମାନଙ୍କ ବାର୍ଷିକ ଆୟ ୨୦ ଲକ୍ଷ ଟପିବା ବଡ଼ କଥା ନୁହେଁ । ଏଭଳି କ୍ଷେତ୍ରରେ ଆମେ ପରିବାରର ଲୋକସଂଖ୍ୟାକୁ ତୁଳନା କରୁଛେ ନା ପରିବାର ଲୋକଙ୍କ ଯୋଗ୍ୟତା ଓ ଦକ୍ଷତାକୁ? ଏହା ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି ।
୧୮୦୦ ମସିହା ବେଳକୁ ବ୍ରିଟେନ ଥିଲା ବିଶ୍ୱର ବୃହତ୍ତମ ଆର୍ଥିକ ମହାଶକ୍ତି । ସେହି ସମୟରେ ବି୍ରଟେନ ଅନେକ ଦେଶକୁ ଶାସନ ବି କରୁଥିଲା । କିନ୍ତୁ ୧୯୪୮ ବେଳକୁ ବ୍ରିଟେନ ଅର୍ଥନୀତିକୁ ଆମେରିକା ଅର୍ଥନୀତି ପଛରେ ପକାଇ ଦେଇଥିଲା । ଅବଶ୍ୟ କେତେକଙ୍କ ମତରେ ୧୮୮୦ ବେଳକୁ ଆମେରିକାର ଅଭିବୃଦ୍ଧି ବ୍ରିଟେନ ଠାରୁ ଅଧିକ ରହିଥିଲା । ବ୍ୟାପକ ଶିଳ୍ପ ବିପ୍ଳବ ହିଁ ଆମେରିକାକୁ ଆର୍ଥିକସ୍ତରରେ ମଜବୁତ୍ କରିପାରିଥିଲା । ବିଶେଷକରି ଅତ୍ୟାଧୁନିକ ପ୍ରଯୁକ୍ତି ବଳରେ ଆମେରିକା ବିଶ୍ୱରେ ରାଜ୍ କରିବାରେ ସକ୍ଷମ ହୋଇଥିଲା । ଏକଦା ବିଶ୍ୱରେ ଆମେରିକା ଓ ଜାପାନର ଅର୍ଥନୀତିକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । କିନ୍ତୁ ୨୦୧୧ ବେଳକୁ ଜାପାନକୁ ପଛରେ ପକାଇ ଚାଇନା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ସ୍ଥାନ ନେଇଥିଲା । ସୀମିତ ଭୌଗୋଳିକ କ୍ଷେତ୍ର ଓ ମାନବସମ୍ବଳ ଜାପାନର ତ୍ୱରିତ ଅର୍ଥନୀତିକ ଅଭିବୃଦ୍ଧିରେ ବାଧକ ସୃଷ୍ଟି କରିଥିଲା । ଧୀରେ ଧୀରେ ଏହାର ଅଭିବୃଦ୍ଧି ହାର କମିଯିବାରୁ ଜର୍ମାନୀ ବି ଜାପାନକୁ ପଛରେ ପକାଇଦେଇଛି । ଅପରପକ୍ଷରେ ବିଶ୍ୱର ବୃହତ୍ତମ ଜନବହୁଳ ରାଷ୍ଟ୍ର ଭାରତର ଅର୍ଥନୀତି ଆଉ ପୂର୍ବଭଳି କଚ୍ଛପ ଗତିରେ ଚାଲୁନାହିଁ । ଅବଶ୍ୟ ଏହାର ଶ୍ରେୟ ଆମେ ମନମୋହନ ସିଂଙ୍କୁ ଦେଇପାରିବା । ସେ ଅର୍ଥମନ୍ତ୍ରୀ ଥିବାବେଳେ ଯେଉଁ ଉଦାରୀକରଣ ଓ ଜଗତୀକରଣ ଯୁଗ ଆରମ୍ଭ କରିଥିଲେ ତାହାହିଁ ଭାରତୀୟ ଅର୍ଥନୀତିକୁ ମଜବୁତ୍ କରିପାରିଛି । ଏକଥାକୁ କଂଗ୍ରେସ ବିରୋଧୀ ଅଥବା ମନମୋହନ ବିରୋଧୀ ବି ସ୍ୱୀକାର କରିବାରେ କାର୍ପଣ୍ୟ ପ୍ରକାଶ କରନ୍ତି ନାହିଁ ।
ସମ୍ପ୍ରତି ଭାରତର ଅର୍ଥନୀତି ଯେଉଁ ହାରରେ ଅଭିବୃଦ୍ଧି ହାସଲ କରୁଛି, ତାହା ଯଦି ବଜାୟ ରହେ ତେବେ ବର୍ଷେ ଦି ବର୍ଷ ମଧ୍ୟରେ ଆମେ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ହେବା ନିଶ୍ଚିତ । ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଶହ ଶହ ବର୍ଷ ତଳେ ବିଶ୍ୱରେ ଚାଇନା ଠାରୁ ବି ଭାରତ ଆଗରେ ରହିଥିଲା । ଖାଲି ଚାଇନା ନୁହେଁ ଭାରତ ଧନଧାନ୍ୟରେ ପରିପୂର୍ଣ୍ଣ ସମୃଦ୍ଧ ଦେଶ ଥିଲା ବୋଲି କୁହାଯାଏ । କିନ୍ତୁ ଏବେ ଚାଇନା ଭାରତ ଠାରୁ ଢେର ଆଗରେ ରହିଛି । କୁହାଯାଉଛି, ଚାଇନାର ଆଜିକା ଦିନର ଅର୍ଥନୀତିକୁ କାଟିବା ପାଇଁ ଭାରତକୁ ଆହୁରି ତିନି ଦଶନ୍ଧି ଲାଗିଯିବ । ସମ୍ପ୍ରତି ଚାଇନାର ଜିଡ଼ିପି ୧୭ ଲକ୍ଷ କୋଟି ଡଲାରରେ ପହଁଚି ସାରିଛି । ଯେତେବେଳେକି ଆମେରିକାର ଜିଡ଼ିପି ୨୭ ଲକ୍ଷ କୋଟି ଡଲାର ଟପିସାରିଛି । ଅତଏବ ଭାରତର ଅର୍ଥନୀତି ୪.୧୯ ଲକ୍ଷ କୋଟି ଡଲାର ଥିବାବେଳେ ଚାଇନା ଅର୍ଥନୀତି ୪ ଗୁଣା ଓ ଆମେରିକା ଅର୍ଥନୀତି ୭ ଗୁଣା ଅଧିକ ଅଛି । ତେଣୁ ୨୦୨୫ରୁ ହିଁ ଭାରତର ଅସଲ ପ୍ରତିଯୋଗିତା ଆରମ୍ଭ ହେବ ।
ସମ୍ପ୍ରତି ଚାଇନା ଓ ଆମେରିକାର ଆର୍ଥିକ ଅଭିବୃଦ୍ଧି ସ୍ୱାଭାବିକ ଭାବେ କମିଯାଇଛି । ଆମେରିକାର ବାର୍ଷିକ ଅଭିବୃଦ୍ଧି ୩% ଭିତରେ ସୀମିତ ଥିବାବେଳେ ଚାଇନାର ଅଭିବୃଦ୍ଧି ୫% ରହିଛି । ଯେତେବେଳେକି ଭାରତ ହାରାହାରି ୭ରୁ ୮% ଅଭିବୃଦ୍ଧି ହାସଲ କରୁଛି । ଯାହାକି ଭାରତ ପାଇଁ ଏକ ଶୁଭ ସୂଚନା । ଏସବୁ ଭିତରେ ବଡ଼ କଥାଟି ହେଉଛି, ବିକଶିତ ରାଷ୍ଟ୍ର ଭଳି ଭାରତର ଯୁବବର୍ଗ ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ସରକାରୀ ଚାକିରି କି ଚାଷବାସରେ ନିଜକୁ ସୀମିତ ନରଖି ସେମାନେ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦେଉଛନ୍ତି । ସତେ ଯେମିତି ଆମ ଯୁବବର୍ଗଙ୍କ ମନରେ ଏବେ ଉଦ୍ୟୋଗର କ୍ଷୁଧା ବେଶ ବାରି ହୋଇପଡୁଛି । ବିଶ୍ୱର ସବୁଠାରୁ ଅଧିକ ଯୁବ ମାନବସମ୍ବଳ ଭାରତରେ ଅଛନ୍ତି । ବିଶ୍ୱର ବଡ଼ ବଡ଼ କମ୍ପାନୀ ଏବେ ଭାରତର ମାନବସମ୍ବଳକୁ ଆଖିଆଗରେ ରଖି ଏଠାରେ ହିଁ କାରଖାନା ପ୍ରତିଷ୍ଠା କରୁଛନ୍ତି ।ଶିଳ୍ପ ବିପ୍ଳବ ଭିତରେ ଆମେ କୃଷିକୁ ଭୁଲିଯିବା ଉଚିତ୍ ନୁହେଁ । କୃଷି ବି ଅର୍ଥନୀତିକୁ ମଜବୁତ୍ କରିବାର ସାମର୍ଥ୍ୟ ରଖିଛି । ଭାରତର ୪୩% ଲୋକ କୃଷି ସହ ଜଡ଼ିତ ଥିଲେବି ଆମର ଅର୍ଥନୀତିକୁ ଏହାର ଯୋଗଦାନ ମାତ୍ର ୧୬% ରହିଛି । କୃଷି କ୍ଷେତ୍ରର ଅଭିବୃଦ୍ଧି ବାର୍ଷିକ ୩ରୁ ୪% ମଧ୍ୟରେ ହିଁ ସୀମିତ ଅଛି । ଏହା ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସୁଯୋଗ ବି ରହିଛି । ଭାରତ ପାଇଁ ଏବେ ମୁଦ୍ରାସ୍ଫୀତି ଏକ ଆହ୍ୱାନ ସୃଷ୍ଟିକରିଛି । ମୁଦ୍ରାସ୍ଫୀତି ହ୍ରାସ ନପାଇଲେ ଆମର କ୍ରୟ ଶକ୍ତି ହ୍ରାସ ପାଇବ, ସୁଧହାର ବି ବଢ଼ିବ । ଯାହାକି ଆମର ବିତ୍ତୀୟ ଯୋଜନାକୁ ବ୍ୟାହତ କରିବ । ଏଦିଗରେ ସରକାର ଦୃଷ୍ଟିଦେଲେ ଆମର ଆର୍ଥିକ ଅଭିବୃଦ୍ଧି ସହ ତାଳ ଦେଇ ନିଯୁକ୍ତି ବି ବଢ଼ିପାରିବ ।
ଗଡ଼ମାଣତୀର, ଖୋରଧା, ମୋ:୮୯୧୭୨୫୮୫୫୭