ସ୍କୁଲ ବନ୍ଦ ଓ ଅନ୍ୟତ୍ର ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ


 ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଅନେକ ପ୍ରାଥମିକ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା କାରଣରୁ ସ୍କୁଲ ଗୁଡିକୁ ବନ୍ଦ କରିବା ସହ ପାଖ ସ୍କୁଲକୁ ମିଶ୍ରଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମ୍ ଉପସ୍ଥାନ ଥିବା ସ୍କୁଲରେ ନୂତନ ନାମ ଲେଖା ପ୍ରାୟ ୪ବର୍ଷ ହେବ ବନ୍ଦ କରି ଦିଆଯାଇଥିଲା । ଫଳରେ ବର୍ଷକୁ ବର୍ଷ ବନ୍ଦ ହେବାକୁ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ହ୍ରାସ ପାଇଛି । କେଉଁ ଆଧାରରେ ସ୍କୁଲକୁ ବନ୍ଦ କରି ଅନ୍ୟ ପାଖ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଦେ୍ର୍ଦଶ ଥିଲା । ସମଗ୍ର ଶିକ୍ଷା କଟକ ଜିଲ୍ଲା ପକ୍ଷରୁ କାର୍ଯ୍ୟାଳୟ କେଉଁ ତାରିଖ ଓ ପତ୍ର ସଂଖ୍ୟା କେତେରେ ଏହି ନିଦେ୍ର୍ଦଶ ଥିଲା, ତାହା ମଣ୍ଡଳ ଶିକ୍ଷାଧିକାରିଣୀ ବନ୍ଦ ହେବାକୁ ଥିବା ସ୍କୁଲର ପ୍ରଧାନଶିକ୍ଷ ଓ କଶିକ୍ଷୟିତ୍ରୀଙ୍କୁ ପତ୍ର ପ୍ରଦାନ କରିଛନ୍ତି ନା ନାହିଁ, ନା ମୌଖିକ ଭାବେ ନୂତନ ନାମଲେଖାକୁ ମଣ୍ଡଳ ଶିକ୍ଷାଧିକାରିଣୀ ବନ୍ଦ କରିଛନ୍ତି ତାହା ସନେ୍ଦହ ଘେରରେ । କେବଳ ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଠାରୁ ମିଶ୍ରଣ ହେବାକୁ ଥିବା ବିଦ୍ୟାଳୟର ଦୂରତାକୁ ଦେଖି ଏଭଳି କରାଯାଇଛି । ହେଲେ ବନ୍ଦ ଓ ମିଶ୍ରଣ ଉଭୟ ସ୍କୁଲକୁ ଗମନାଗମନ ପାଇଁ ଭୌଗୋଳିକ ଅବସ୍ଥିତିକୁ ନ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ଛୋଟ ଛୋଟ କୋମଳମତୀ ଛାତ୍ରଛାତ୍ରୀମାନେ ବନ୍ଦ ହେବାକୁ ଥିବା ସ୍କୁଲରୁ ମିଶ୍ରଣ ହେବାକୁ ଥିବା ସ୍କୁଲକୁ ଯିବା ଆସିବା କରିବା ସମ୍ଭବ ନୁହେଁ । କେଉଁଠି କେନାଲ ବନ୍ଧରେ ଯିବାକୁ ପଡ଼ିବ ତ ଅନ୍ୟ କେଉଁଠି ମୁଖ୍ୟ ସଡ଼କ ପଥରେ ଯିବାକୁ ପଡ଼ିବ । କେନାଲ ବନ୍ଧରେ ଗଲେ କେନାଲ ପାଣିରେ ଛାତ୍ରଛାତ୍ରୀମାନେ କେତେବେଳେ ଯେ, ପଡ଼ି ନ ଯିବେ ବା ସଡ଼କ ପଥରେ ଗଲେ ଯାତାୟତ ସମୟରେ ସଡ଼କ ଦୁର୍ଘଟଣାର ଶୀକାର ନ ହେବେ ତାହା କହିହେବ ନାହିଁ । ଏହାସହ ଷଣ୍ଢ, ବିଲୁଆ, କୁକୁର ଓ ମାଙ୍କଡଙ୍କ ଭୟ ମଧ୍ୟ ରହିଛି । ଏଥିପାଇଁ ଅଭିଭାବକ ଓ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରିସୋ ଓ କାଳିଆବୁଦା ସରକାରୀ ପ୍ରାଥମିକ ସ୍କୁଲ କ୍ଷେତ୍ରରେ । ଯଦି ସରକାରୀ ନିଦେ୍ର୍ଦଶ ଅନୁଯାୟୀ ଉପସ୍ଥାନ କମ୍ ଥିବା ବିଦ୍ୟାଳୟକୁ ବନ୍ଦ କରିବା କଥା ତାହାହେଲେ ସେହି ବନ୍ଦ୍ ହେବାକୁ ଥିବା ସ୍କୁଲରେ ଏବେ ନିକଟରେ କଟକ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ କିପରି ଭାବେ ବନ୍ଦ୍ ହେବାକୁ ଥିବା ବିଦ୍ୟାଳୟରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରାଯାଇଛି । ଏଥିରୁ ସ୍ପଷ୍ଟ ବାରି ହେଉଛି କି ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସଠିକ୍ ଢଙ୍ଗରେ ଓ ନୀତି ନିୟମରେ କାର୍ଯ୍ୟ କରୁନାହିଁ । ଏ ନେଇ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷାଧିକାରୀ କଟକ,  ମାହାଙ୍ଗା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବାଦ୍ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଦ ହେବାକୁ ଥିବା ବିଦ୍ୟାଳୟରେ ନୂତନ ନାମଲେଖା ପାଇଁ ଅନୁମତି ପ୍ରଦାନ କରିବା ସହ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ଓଡ଼ିଶା ସରକାରଙ୍କ ସହଯୋଗ କାମନା କରିଛନ୍ତି ।