ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ପ୍ରୀତି : ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରହୁ

ଯାଜପୁର : ବ୍ୟାସନଗରରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ସୁକିନ୍ଦା କ୍ରୋମାଇଟ ଖଣିକୁ ଯୋଡ଼ୁଥିବା ରାସ୍ତାର ମାନପୁର ଓଭରବ୍ରିଜ ଖାଲଖମା କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହାର ମରାମତି ଆବଶ୍ୟକ ହୋଇପଡ଼ିଥିବା ବେଳେ ବନ୍ଦ ହୋଇପଡ଼ିଥିବା ଦ୍ୱିତୀୟ ଓଭରବ୍ରିଜ କାର୍ଯ୍ୟ ତୁରନ୍ତ ସାରିବା ମର୍ମରେ ସୁକିନ୍ଦାର ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡାଇ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ପତ୍ରମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରୀତି ଦର୍ଶାଇଛନ୍ତି କି କଳିଙ୍ଗନଗର ଶିଳ୍ପାଂଚଳ ସହିତ ବ୍ୟାସନଗର ମୁନସିପାଲିଟି, ଜିଲା ମୁଖ୍ୟାଳୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମୁଖ୍ୟାଳୟ ସହିତ ସଂଯୋଗ କରୁଥିବା ଡୁବୁରୀ-ଦାନଗଦୀ ରାସ୍ତାରେ ଥିବା ମାନପୁର ରେଲୱେ ଓଭର ବ୍ରିଜ ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ଖମା ସୃଷ୍ଟି ହେବା ସହିତ ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜିଛି । ଏହାର ତୁରନ୍ତ ମରାମତି କରାନଗଲେ କୌଣସି ମୁହର୍ତରେ ଘୁଷୁଡି ପଡିବାର ଆଶଙ୍କା ଅଛି । ଦ୍ୱିତୀୟତଃ ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରକ, ବସ, ଟ୍ରଲର, ଆମ୍ବୁଲାନ୍ସ, ଯାତ୍ରୀବାହି ବସ, ସ୍କୁଲବସ ଏବଂ କଂପାନୀ ବସ୍ ଇତ୍ୟାଦି ଯିବା ଆସିବା କରିବା ଫଳରେ ଓଭର ବ୍ରିଜ ଜାମ୍ ହେଉଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୯-୨୦ ମସିହାରେ ଦ୍ୱିତୀୟ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ତାହା ବର୍ତମାନ ବନ୍ଦଅଛି । ତେଣୁ ମାନପୁର ଓଭର ବ୍ରିଜର ତୁରନ୍ତ ମରାମତି, ଦ୍ୱିତୀୟ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏବଂ ଦ୍ୱିତୀୟ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ଭାରିଯାନ ଗୁଡିକୁ ଖୁରୁଂଟି ବିଆରପିଏଲ୍ ଛକ ଠାରୁ ଦାନଗଦୀ ଛକ ଭାୟା ରାବଣା ଦେଇ ଚଳାଚଳ କରିବା ପାଇଁ ପୂର୍ଭ ବିଭାଗ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେବାକୁ  ପ୍ରୀତିରଞ୍ଜନ ଦାବି ରଖିଛନ୍ତି ।