ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଉଦ୍ୟାପିତ


ାା ପ୍ରଭାନୁ୍ୟଜ୍ାା ଢେଙ୍କାନାଳ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧୀନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ସଭାଗୃହରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରି ମୋହନ ରାଉତ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନମନସ୍କ କରାଇ ସେମାନଙ୍କ ମଧ୍ୟରେ ଅନୁସନ୍ଧିତ୍ସୁ ମନୋଭାବ ଉଦ୍ରେକ କରିବା ପାଇଁ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ  । ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ,ଢେଙ୍କାନାଳ ଜିଲ୍ଲାର ୮ ଗୋଟି ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜୁନିୟର/ କନିଷ୍ଠ ଓ ସିନିୟର/ ବରିଷ୍ଠ ପ୍ରତ୍ୟେକ ବିଭାଗରେ ୮ ଜଣ ଲେଖାଏଁ ମୋଟ ୧୬ ଜଣ ଛାତ୍ର ଛାତ୍ରୀ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା -୨୦୨୪ ରେ ଅଂଶଗ୍ରହଣ କରିଛନ୍ତି ।  ଅନ୍ୟତମ ବିଚାରକ ଭାବରେ, ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି,ସନ୍ତୋଷ କୁମାର ପାଣିଗ୍ରାହୀ,ବନ ବିହାରୀ ବାରିକ ଓ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅବସର ପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉଭୟ ବରିଷ୍ଠ କନିଷ୍ଠ ବିଭାଗର ବିଜ୍ଞାନ କୁଇଜ୍ ପ୍ରତିଯୋଗିତାର ପ୍ରଶ୍ନୋତର ପ୍ରସ୍ତୁତି, ପରିଚାଳନା ଓ ମୂଲ୍ୟାୟନରେ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟରେ ବିଜ୍ଞାନ କୁଇଜ୍ ମାଧ୍ୟମରେ ଛାତ୍ରୀ ଛାତ୍ରମାନେ ନିଜର ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ପରିସୀମା ର ପରିବୃଦ୍ଧି କରି ନିଜ ନିଜ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ପରିବ୍ୟାପ୍ତ କରିବାରେ ମଧ୍ୟ ସଫଳ ହୋଇ ପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ । କନିଷ୍ଠ ବିଭାଗରେ କାମାକ୍ଷାନଗର ବ୍ଲକ୍ର ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟ, କାନପୁରା ଅଷ୍ଟମ ଶ୍ରେଣୀ ଛାତ୍ର ସୃତି ସୂରଜ ମିଶ୍ର ପ୍ରଥମ, ଢେଙ୍କାନାଳ ସଦର ବ୍ଲକ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମୁକ୍ତାଦେଇପୁରର ଅଷ୍ଟମ ଶ୍ରେଣୀ ଛାତ୍ର ତନ୍ମୟ କୁମାର ସ୍ୱାଇଁ ଦ୍ୱିତୀୟ ଓ ଭୁବନ ବ୍ଲକ୍ ର ଏସ୍.ଟି.ଏନ୍ ଉଚ୍ଚ ବିଦ୍ୟାଳୟ କୀର୍ତନପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ଥିତି ପ୍ରଜ୍ଞା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ବରିଷ୍ଠ ବିଭାଗରେ ଢେଙ୍କାନାଳ ସଦର ବ୍ଲକ୍ର  ପି.ଏମ୍.ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ର ଭାର୍ଗବ ପୃଷ୍ଟି ପ୍ରଥମ,କାମାକ୍ଷାନଗର ବ୍ଲକ୍ର ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ମହୁଲପାଳର ଦଶମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରସାଦ ଲେଙ୍କା ଦ୍ୱିତୀୟ ଓ ହିନେ୍ଦାଳ ବ୍ଲକ୍ ର ରାସୋଳ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଆଦିତ୍ୟ ଅଂଶୁ ସାହୁ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଭାରପ୍ରାପ୍ତ ଢେଙ୍କାନାଳ ଶିକ୍ଷାଅଧିକାରୀ ସସ୍ମିତା ସାହୁ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ବିଜ୍ଞାନ ଅନୁରାଗୀ ହୋଇ,ବିଶେଷ ଜ୍ଞାନର ଅଧିକାରୀ ହେବାପାଇଁ,ନିଜ ମନରେ ଉଙ୍କି ମାରୁଥିବା ପ୍ରତ୍ୟେକ ପ୍ରଶ୍ନର ଉତର ପାଇବା ପାଇଁ ଅବିରତ ଅନୁସନ୍ଧାନରେ ବ୍ରତୀ ହେବା ପାଇଁ ଦୃଢ଼ ଆହ୍ୱାନ ଜଣାଇଥିଲେ ।