ରଥ ଖଳାରୁ ... ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା

ପୁରୀ  : ୩୧ତମ ଦିବସରେ ରଥଖଳାରେ ୩ ରଥ ନିର୍ମାଣ କାର୍ଯ୍ୟ ୨୦୬ ଜଣ ସେବକ କାର୍ଯ୍ୟରତ ଅଛନ୍ତି । ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ତିନି ରଥର ଚକ, ଅଖ ଓ ଦଣ୍ଡା ସଂଯୋଗ ହୋଇ ଗର୍ଗରା ଉପରେ ଚାରିନାହାକା ଉଠିବ । ଏଣୁ ଏହି ପରମ୍ପରାକୁ ଦୃଷ୍ଟିରେ ରଖି ରଥନିର୍ମାଣକାରୀ ସେବକମାନେ ନିର୍ମାଣକାର୍ଯ୍ୟକୁ ଗତିଶୀଳ କରିଛନ୍ତି । ତିନି ରଥର ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଅନୁକୂଳ ପୂଜା ହୋଇ ଆରମ୍ଭ ହୋଇଛି ଆଣ୍ଟଦଣ୍ଡାର ଚଉପଟ କାର୍ଯ୍ୟ । ତିନି ରଥର ମୁଖ୍ୟ ମହାରଣା ସେବକମାନେ ଅନୁକୂଳ ପୂଜା ସହ ସାଥୀ ମହାରଣା ସେବକମାନେ ଆରମ୍ଭ କରିଛନ୍ତି ୪୦ ଫୁଟିଆ ଦଣ୍ଡା କାଠର ଚଉପଟ କାର୍ଯ୍ୟ । ତିନି ରଥର ଚାରିଟି ଲେଖାଏଁ ଚଉଦ ନାହାକାର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି ମହାରଣା ସେବକମାନେ । ଏଥିସହ ଶେଷ ହୋଇଛି ଚାରି ନାହାକାର ଅଭୟ ପାଶ୍ୱର୍ର ସାଲ କାର୍ଯ୍ୟ । ତିନି ରଥର ଦୁଇଟି ଲେଖାଏଁ ଗର୍ଗରାର ଉଭୟ ପାଶ୍ୱର୍ ବିନ୍ଧ ପରେ ଶେଷ ହୋଇଛି ବାକିଥିବା ଅଖ ଗୁଡ଼ିକର ଦୁଇପାଶ୍ୱର୍ର ଗୋଲେଇ କାର୍ଯ୍ୟ । ରୂପକାର ସେବକମାନେ ଆରମ୍ଭ କରିଛନ୍ତି ତିନି ରଥର ସିଂହାସନ ମୁହାଁଟର ଖୋଦେଇ କାର୍ଯ୍ୟ । ମୁଖ୍ୟ ରୂପକାର ସେବକମାନେ ସିଂହାସନ ମୁହାଁଟରେ ଚିତ୍ର ଅଙ୍କନ ଶେଷ କରି ରୂପ ଖୋଦେଇ କରୁଛନ୍ତି । ଅନ୍ୟ ରୂପକାର ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି ତିନି ରଥର ସାଲଗୁଜ ଗୁଡ଼ିକରେ । ଏହା ପରେ ଆରମ୍ଭ କରିବେ ତିନି ରଥର ୮ଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କାର୍ଯ୍ୟ । କରତି ସେବକମାନେ ଜାରି ରଖିଥିବା ତାଳଧ୍ୱଜ ରଥର ପୋଳଗୟଳ ଚିରଟ କାର୍ଯ୍ୟ ଶେଷ କରି ଚିରଟ ପାଇଁ ଆରମ୍ଭ କରିଛନ୍ତି ନନ୍ଦିଘୋଷ ରଥର ୪୦ଫୁଟିଆ ଧଉରା କାଠର ଚିରା କାର୍ଯ୍ୟ । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ଜାରି ରଖିଛନ୍ତି ତିନି ରଥର ଦଣ୍ଡା ପାଇଁ ଦଣ୍ଡାବିଡ଼ିଆ କଣ୍ଟା ଓ ଗୟଳ କଣ୍ଟା ସହ ଗର୍ଗରା କଣ୍ଟା । ପାହି ମହାରଣାମାନେ ଦୋଳବେଦୀ ଠାରେ ଅଣସର ତଥା ରଥଯାତ୍ରାରେ ସେବାନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି ।