ବଢୁଛି କନ୍ଦଳ-ଡାକିଲେ ଖବରଦାତା ସମ୍ମିଳନୀ

 ଚମ୍ପୁଆ : ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚମ୍ପୁଆ ଗ୍ରସ୍ତକୁ ନେଇ ବିଜେପି ଦଳ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଆଜି ବିଜେପିର କିଛି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶ୍ରୀମନ୍ତ ତ୍ରିପାଠୀଙ୍କ ହସ୍ତକ୍ଷେପକୁ ନେଇ ବିସଦଗାର କରିଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଶ୍ରୀମନ୍ତ ତ୍ରିପାଠୀ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳିୟ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ସହିତ ଜଣେ ଆକ୍ଟିଭ୍ ମେମ୍ବର ଭାବେ ମୁଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଦାୟିତ୍ୱ ଲିଭାଉଛି । ମୋତେ ଅଯଥାରେ ବଦନାମ କରାଯାଉଛି, ଯେଉଁମାନେ ମୋତେ ବଦନାମ୍ କରୁଛନ୍ତି ସେମାନେ ଦଳକୁ ପରୋକ୍ଷରେ ଦୁର୍ବଳ କରୁଛନ୍ତି ବୋଲି ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆଜି ନଗର ସଭାପତି ରାଜେଶ ଆଚାର୍ଯ୍ୟ, ବି କରଂଜିଆ ମଣ୍ଡଳ ସଭାପତି ମଳୟ ମହାପାତ୍ର, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମାହନ୍ତ ସମେତ ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ନଗର ସାଧାରଣ ସମ୍ପାଦକ କାର୍ତିକ ସାହୁ ପ୍ରମୁଖ ଏକ ଖବର ଦାତା ସମ୍ମିଳନିରେ ବିଜେପିରୁ ନିଲମ୍ବିତ ନେତା ଶ୍ରୀମନ୍ତ ତ୍ରିପାଠୀ ଦଳୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ଯୋଗ ଦେଉଥିବାକୁ ନେଇ ବିରୋଧ କରିଥିଲେ । ଉକ୍ତ ଖବର ଦାତା ସମ୍ମିଳନୀର କିଛି ଘଂଟା ପରେ ନେତା ଶ୍ରୀମନ୍ତ ତ୍ରିପାଠୀ ଏକ ଖବର ଦାତା ସମ୍ମିଳନୀ ଡାକି ସମର୍ପିତ କର୍ମୀ ଭାବରେ ମୁଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ନିଜ କର୍ତ୍ତବ୍ୟ କରୁଛି ଏବଂ ପୂର୍ବରୁ ଦଳୀୟ ନିଦେ୍ର୍ଦଶ ଅନୁଯାୟୀ ସଭ୍ୟ ସଂଗ୍ରହରେ ମୁଁ ଜଣେ ସମର୍ପିତ ସଭ୍ୟ ଭାବେ ପଂଜିକୃତ ହୋଇପାଇଛି । ତେଣୁ ମୋତେ ଅଜଥାରେ ବିରୋଧ କରାଯାଉଛି ବୋଲି କହିଛନ୍ତି ।