ଆସ ବୁଲିଯିବା ସିଂହନାଥ

ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି ବାବା ସିଂହନାଥ ପୀଠ  । କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଗୋପୀନାଥପୁରରେ ଥିବା ଏହି ପୀଠ ଐତିହାସିକ ବିଭବ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ  । ଏକ ସ୍ୱତନ୍ତ୍ର ପଥରରେ ନିର୍ମିତ ଏହି ମନ୍ଦିର ଏହାର ଶିଳ୍ପକଳା ପାଇଁ ପର୍ଯ୍ୟଟକଙ୍କ ମନମୋହିଥାଏ  ।

 କିପରି ଯିବେ?
ଭୁବନେଶ୍ୱର ଠାରୁ ପ୍ରାୟ ୬୯ କିମି ଏବଂ କଟକ ଠାରୁ ପ୍ରାୟ ୬୭ କିମି ଦୂରରେ ଅବସ୍ଥିତ ଏହି ସିଂହନାଥ ମନ୍ଦିର  । କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡେ ବଡମ୍ବା ଗଡ  । ବଡମ୍ବାଗଡ ଠାରୁ ପୂର୍ବ ଦିଗରେ ମହାନଦୀ ଆଡକୁ ପାଞ୍ଚ କିମି ଗଲେ ଗୋପୀନାଥପୁର ଗ୍ରାମ ପଡ଼ିବ  । ଏଠାରୁ ମହାନଦୀର ମଧ୍ୟଭାଗରେ ପାହାଡରେ ବିଦ୍ୟମାନ ହୋଇଛନ୍ତି ପ୍ରଭୂ ସିଂହନାଥ  । ମହାନଦୀ ଏହି ପାହାଡର ଦୁଇ ପାଖରେ ପ୍ରବାହିତ  । ଏହାର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଗୋପୀନାଥପୁର ଓ ତୁଣପୁର ଆଦି ଗ୍ରାମ ଥିବାବେଳେ ପୂର୍ବ ଦକ୍ଷିଣ ପାଶ୍ୱର୍ରେ ବୈଦେଶ୍ୱର ଗ୍ରାମ ପଡେ  । ବୈଦେଶ୍ୱର ଆଡୁ ମଧ୍ୟ ଏହି ପୀଠକୁ ଆସିହେବ  । ବାଙ୍କୀ, ଖୋରଧା, ବେଗୁନିଆ, ବୋଲଗଡ, ଖଣ୍ଡପଡା ଓ ରଣପୁର ଅଞ୍ଚଳର ଲୋକମାନେ ବୈଦେଶ୍ୱର ଦେଇ ଏହି ପୀଠକୁ ଆସିଥାନ୍ତି  । ବୈଦେଶ୍ୱରର ନଦୀକୂଳରେ ବୈଦ୍ୟନାଥ ଓ ଏହି କୂଳର ପୂର୍ବ ଦିଗରେ ରାମନାଥ ଶିବଙ୍କ ମନ୍ଦିର ରହିଛି  । ଏହି ତିନୋଟି ଶିବମନ୍ଦିର ସମାନ ଦୂରତାରେ ଥାଇ ଏକ ତ୍ରିକୋଣ ସୃଷ୍ଟି କରିଛନ୍ତି  । ପୁର୍ବରୁ ଏଠାକୁ ଯିବାପାଇଁ ସେତେ ସୁବିଧା ନଥିଲା । ପୁର୍ବରୁ ମନ୍ଦିରକୁ  ବାଲିରେ ଚାଲି ଚାଲି ଓ ନଦୀରେ ପାଣି ଥିବା ସମୟରେ ଡଙ୍ଗା ସହାଯ୍ୟରେ ଯାଉଥିଲେ  । ହେଲେ ବର୍ତ୍ତମାନ ଲୋକଙ୍କୁ ଆଉ ସେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ  । ଗୋପୀନାଥପୁର ଓ ବୈଦେଶ୍ୱରକୁ ସଂଯୋଗ କରୁଥିବା ଟି-ସେତୁର ନିର୍ମାଣ ଫଳରେ ଗମନାଗମନ ସୁଗମ ହୋଇପାରିଛି  । ପ୍ରତିଦିନ କଟକ ଓ ଭୁବନେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ  ସିଧାସଳଖ ବସ୍ ଚଳାଚଳ କରୁଛି ।

 ତ୍ରିକୂଟ ପୀଠର ମହିମା :
ଲୋକକଥା ଅନୁସାରେ ସ୍ଥାନୀୟ ଅଞ୍ଚଳର ଗାଈ, ଛେଳି, ମେଣ୍ଢା ଘାସ ଚରିବାକୁ ପାହାଡ ଉପରକୁ ଆସିଥାନ୍ତି  । ଛେଳି ଗୋଡରେ ଥିବା ଲୁହା ବଳା ଘରକୁ ଆସିଲା ବେଳକୁ ସୁନା ପାଲଟିଯାଏ  । ଏଭଳି ଅଦ୍ଭୁତ ଘଟଣା ରାଜାଙ୍କ କାନକୁ ଯିବା ପରେ ଏହି ପୀଠର ମହିମା ସର୍ବବ୍ୟାପୀ ହୋଇପାରିଥିଲା  । କେଶରୀ ବଂଶର ରାଜା ଲଲାଟେନ୍ଦୁ କେଶରୀଙ୍କ ସମୟରେ ବର୍ତ୍ତମାନର ସିଂହନାଥ ମନ୍ଦିର ନିର୍ମିତ ହୋଇଛି ବୋଲି ଐତିହାସିକମାନେ ମତ ଦେଇଥାନ୍ତି  ।
ପୌରାଣିକ ମତରେ ପ୍ରଭୁ ଶ୍ରୀରାମ, ପନôୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଏହି ପଥ ଦେଇ ଯାଇଥିଲେ  । ମାତା ସୀତାଙ୍କୁ ଶୋଷ ଲାଗିବାରୁ ତାଙ୍କର ଶୋଷ ମେଣ୍ଟାଇବା ପାଇଁ  ଲକ୍ଷ୍ମଣ ପାହାଡ ଚିରି ଏଠାରେ ଏକ କୁଣ୍ଡ ତିଆରି କରିଥିଲେ  । ସେହି କୁଣ୍ଡଟି ସୀତାକୁଣ୍ଡ ନାମରେ ବେଶ୍ ପରିଚିତ । କଥିତ ଅଛି ଯେ ମହାନଦୀର ମଧ୍ୟଭାଗରେ ଥିବା ଏହି ପାହାଡରେ ଲକ୍ଷ୍ମଣ ସିଂହନାଥ ଦେବଙ୍କୁ ସ୍ଥାପନ କରିଥିବାବେଳେ ପ୍ରଭୁ ରାମଚନ୍ଦ୍ର ବୈଦ୍ୟଶ୍ୱର ଗ୍ରାମର ପୂର୍ବ ଦିଗରେ ନଦୀକୂଳରେ ଥିବା ଏକ ଛୋଟ ପାହାଡ ଉପରେ ରାମନାଥ ଦେବଙ୍କୁ ସ୍ଥାପନ କରିଥିଲେ  । ମାତା ସୀତା ମହାନଦୀ ସଂଲଗ୍ନ ବୈଦ୍ୟନାଥ ପାହାଡ ତଳେ ବୈଦ୍ୟନାଥ ଦେବଙ୍କୁ ସା୍ଥପନ କରି ପୂଜା କରିଥିଲେ  । ଏହି ତିନୋଟି ପୀଠ ଥିବା ଅଞ୍ଚଳକୁ ତ୍ରିକୂଟ ମଧ୍ୟ କୁହାଯାଏ  ।

 ମନ୍ଦିରର ଆକର୍ଷଣ : ଅଦ୍ୱିତୀୟ କାରୁକାର୍ଯ୍ୟ
ଓଡିଶାର କେଶରୀ ବଂଶର ରାଜା ଲଲାଟେନ୍ଦୁ କେଶରୀଙ୍କ ସମୟରେ ବର୍ତ୍ତମାନର ସିଂହନାଥ ମନ୍ଦିର ନିର୍ମିତ ବୋଲି ଐତିହାସିକମାନେ ମତ ଦିଅନ୍ତି  । ଏହି ମନ୍ଦିରର ଭାସ୍କର୍ଯ୍ୟ ଓ ଚିତ୍ରକଳା ଅତ୍ୟନ୍ତ ଉଚ୍ଚକୋଟୀର  । ମନ୍ଦିରରେ ଖୋଦିତ କାରୁକାର୍ଯ୍ୟ ଭରା କୋଣ ଖମ୍ବମାନ ବେଶ୍ ଆକର୍ଷଣୀୟ । ଏଗୁଡିକ ଆକାରରେ ଦୀର୍ଘ ଏବଂ ସରୁଆ ଅଟେ  । ଯାହା ମନ୍ଦିରର ପାର୍ଶ୍ୱ ଠଣାମାନଙ୍କୁ  ଧରି ରଖିଛି  । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ସହିତ ଏହି ମନ୍ଦିରର ସାମଞ୍ଜସ୍ୟ ରହିଛି  । ମନ୍ଦିରଟି ସ୍ୱତନ୍ତ୍ର ପ୍ରସ୍ତରରେ ନିର୍ମିତ  । ପଞ୍ଚରଥ ଶୈଳୀରେ ନିର୍ମିତ ମନ୍ଦିର ଗାତ୍ରରେ ଖୋଦିତ ରାମାୟଣ ଓ ମହାଭାରତର ନିଖୁଣ ଯୁଦ୍ଧ ଚିତ୍ର ଦର୍ଶକଙ୍କୁ ବିମୋହିତ କରିଥାଏ  ।