ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ: ସୋଫିଆ ଫିର୍ଦ୍ଦୋସ୍
କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚଳିତବର୍ଷ କଂଗ୍ରେସ ଟିକେଟରେ ଲଢ଼ି ସୋଫିଆ ଫିର୍ଦ୍ଦୋସ୍ ପ୍ରଥମଥର ପାଇଁ ବିଧାୟିକା ହୋଇଛନ୍ତି। ସେ ଭାଜପାର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସୋଫିଆ ୫୩,୩୩୯ ଖଣ୍ଡ ଭୋଟ ପାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ୪୫,୩୩୮ ଖଣ୍ଡ ଭୋଟ ପାଇଥିଲେ। ୧୯୯୧ ଅଗଷ୍ଟ ୨୩ରେ କଟକ ମେହେନ୍ଦିପୁରଠାରେ ସୋଫିଆ ଜନ୍ମଗ୍ରହଣ କରିଥିଲେ। ଫିର୍ଦ୍ଦୋସିଆ ବାନୋ ଓ ମହମ୍ମଦ ମୋକିମଙ୍କ ସେ ବଡ଼ଝିଅ। ସୋଫିଆ କଟକସ୍ଥିତ ସେଣ୍ଟ୍ ଯୋଶେଫ ବାଳିକା ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ୨୦୦୭ରେ ରେଭେନ୍ଶା ଜୁନିୟର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୯ରେ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ୨୦୧୩ରେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ନାମ ଲେଖାଇ ବି.ଟେକ୍ କରିଥିଲେ। ପାଠପଢ଼ା ପରେ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମାଣ ଓ ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ମେଟ୍ରୋ ଗ୍ରୁପରେ ସେ ଯୋଗଦେଇଥିଲେ। ଏବେ ମେଟ୍ରୋ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଭାବେ ସୋଫିଆ କାର୍ଯ୍ୟରତ ଅଛନ୍ତି। ଏଥିସହ ମୋକିମ ଫାଉଣ୍ଡେଶନର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି। ମହାମାରୀ ସମୟରେ ଏହି ଫାଉଣ୍ଡେଶନ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ, ଔଷଧ, ମାସ୍କ ପ୍ରଦାନ ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା। ତେବେ ପିତା ରାଜନୀତି କରୁଥିବାରୁ ସୋଫିଆ ପିଲାବେଳୁ ଏଥିପ୍ରତି ପ୍ରଭାବିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଛାତ୍ର ରାଜନୀତିରୁ ମୋକିମ ସକ୍ରିୟ ରହି ୨୦୧୯ରେ କଂଗ୍ରେସରୁ ଟିକେଟ ପାଇ ବାରବାଟୀ-କଟକ ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ହାଇକୋର୍ଟ ତାଙ୍କ ବିଧାୟକ ପଦ ରଦ୍ଦ କରିଥିଲେ। ତେଣୁ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ତାଙ୍କ ଝିଅଙ୍କୁ ଟିକେଟ ଦେବା ପାଇଁ ପ୍ରସ୍ତାବ ଦେବା ପରେ ଦଳ ସୋଫିଆଙ୍କୁ ୨୦୨୪ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା। ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବାସିନ୍ଦା ସର୍ବଦା ନିଜ ମାଟିର ଲୋକଙ୍କ ହିତରେ ରହିଛନ୍ତି। ସେଥିପାଇଁ ଏଠାକାର ଜନସାଧାରଣ ୨୦୨୪ ନିର୍ବାଚନରେ ଭାଜପା ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ତାଙ୍କ ପିତାଙ୍କ ସମୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ସେଥିପାଇଁ ଲୋକମାନେ କଂଗ୍ରେସକୁ ଚୟନ କରିଛନ୍ତି। ଭାଜପା ରାଜ୍ୟରେ ସରକାର ଗଢ଼ିଛିି, ହେଲେ ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରିଜନିତ ସମସ୍ୟା ରହିଛି। ସେ ବିଧାୟିକା ନିର୍ବାଚିତ ହେବା ଦିନରୁ ଏସବୁ ଦିଗରେ କିଭଳି ଉନ୍ନତି ଆସିପାରିବ ସେଥିପାଇଁ କାର୍ଯ୍ୟ କରୁଛନ୍ତି। ଏହାସହ ସବୁଜ କଟକ ଗଢ଼ିବାର ଯେଉଁ ସ୍ବପ୍ନ ରହିଛି, ତାହା ମଧ୍ୟ ପୂରଣ କରାଯିବ। ସ୍ବର ଉଠାଇ ଦାବି ଉପସ୍ଥାପନା କରି ଲୋକଙ୍କ ପାଇଁ କାମ କରିବା ସମ୍ପୂର୍ଣ୍ଣ ନିଆରା। ଲୋକଙ୍କ ସହ କଂଗ୍ରେସ ପୂର୍ବରୁ ରହିଛି ଏବଂ ଆଗାମୀ ଦିନରେ ରହିଥିବ ବୋଲି ସେ କହିଛନ୍ତି।