ହେଉନି ଅଙ୍ଗନବାଡି ଗୃହ ନିର୍ମାଣ : ମନ୍ଦିର ବାରଣ୍ଡାରେ ବସି ପଢୁଛନ୍ତି ଶିଶୁ

ସାଲେପୁର : ୪ବର୍ଷ ହେବ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କର ଅନୁମୋଦନ ପରେ ମଧ୍ୟ ଅଦ୍ୟାବଧି ଅଙ୍ଗନବାଡି ଗୃହ ନିର୍ମାଣ ହୋଇପାରିନଥିବାରୁ କୋମଳମତି ଶିଶୁମାନେ ମନ୍ଦିର ବାରଣ୍ଡା, ଅଙ୍ଗନବାଡି ଦିଦିଙ୍କ ଘରେ ପାଠ ପଢ଼ୁଥିବା ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି  ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି ।
 ପ୍ରକାଶ ଯେ, ସାଲେପୁର ବ୍ଲକ୍ ଅନ୍ତର୍ଗତ ସଉରୀ ପଞ୍ଚାୟତ ଓଷଦ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ କଟକ ଜିଲ୍ଲାପାଳଙ୍କ ଚିଠି ନଂ-୧୬୪, ୧୨.୦୧.୨୦୨୧ରେ ଅନୁମୋଦନ କରିଥିଲେ ମଧ୍ୟ ଅଦ୍ୟାବଧି ୪ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ହେଁ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ । ଫଳରେ ଏହି ଅଙ୍ଗନବାଡିି କେନ୍ଦ୍ରର କୋମଳମତି ଶିଶୁମାନେ ମନ୍ଦିର ବେଢ଼ା ଓ ଅଙ୍ଗନବାଡି ଦିଦିଙ୍କ ଘରେ ବସି ପାଠ ପଢ଼ୁଛନ୍ତି । ଏ ସଂପର୍କରେ ଗତ ୩.୦୨.୨୫ରିଖରେ ସାଲେପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅବତନ ଷଡ଼ଙ୍ଗ ପ୍ରକାଶ କରିଛନ୍ତି । ତୁରନ୍ତ ଓଷଦ ଗ୍ରାମର ଅଙ୍ଗନବାଡିି କେନ୍ଦ୍ର ନିର୍ମାଣ ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।