ଶ୍ରୀମନ୍ଦିର ପ୍ରଶାସନର ନିବେଦନ : ‘ତଳେ ବସି ମହାପ୍ରସାଦ ସେବନ କରନ୍ତୁ’
ପୁରୀ: ହୋଟେଲରେ ଡାଇନିଂ ଟେବୁଲ ଉପରେ ବସି ମହାପ୍ରସାଦ ସେବନ କରୁଛନ୍ତି । ମହାପ୍ରସାଦ ସେବନ ବେଳେ ଚପଲ ବି ପିନ୍ଧୁଛନ୍ତି । ଏଭଳି ଭିଡ଼ିଓ ଭାଇରାଲ୍ ହେବା ପରେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଗୁରୁତର ସହ ଗ୍ରହଣ କରିଛନ୍ତି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସ୍ୱତନ୍ତ୍ର ନିବେଦନ କରାଯାଇଛି । ‘ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି । ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ସନ୍ଦର୍ଭରେ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ କରାଯାଉଛିଯେ, ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ । ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି । ତେଣୁ ଏଭଳି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି । ହୋଟେଲଗୁଡ଼ିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନକ କରିବାକୁ ଅନୁରୋଧ ।’ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।