ଦଶମ ବୋର୍ଡ ଖାତା ଦେଖାରେ ତ୍ରୁଟି : ମେଧାବୀ ହୋଇ ବି ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ର

 ଚାନ୍ଦବାଲି : ଦଶମ ବୋର୍ଡ ପରୀକ୍ଷାରେ ଖାତା ଦେଖାରେ ତ୍ରୁଟି ଅଭିଯୋଗ ଫଳରେ ଅଭିଭାବକ ଓ ଛାତ୍ରଙ୍କ ଭିତରେ ଅସନ୍ତୋଷ । ତ୍ରୁଟି ସମାଧାନ ପରେବି ମେଧାବୀ ଛାତ୍ରଙ୍କୁ ନୂତନ ସାର୍ଟିଫିକେଟ ନ ମିଳିବାରୁ ଛାତ୍ର ଓ ଅଭିଭାବକ ମନରେ ଦୁଃଖ । ଏମିତି ଘଟଣା ଦେଖିବାକୁ ମିଳିଛି ପୀରହାଟ ଅଞ୍ଚଳ ବାରବାଟିଆ ଗାଁ ର କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ଜନ୍ମେଜୟ ମହାନ୍ତିଙ୍କ । ଚଳିତ ବର୍ଷ ଗଦି ସାମନ୍ତ ରାଏ ପୁର ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଜନ୍ମେଜୟ ଜଣେ ମେଧାବୀ ଛାତ୍ର ହୋଇ ଥିବାରୁ ନିଜର ସାର୍ଟିଫିକେଟ ମାର୍କକୁ ନେଇ ବେଶ୍ ଖୁସି ଥିବା ବେଳେ ବୋର୍ଡ ଖାତା ଦେଖା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏନେଇ ଛାତ୍ରଙ୍କ ପରିବାର ଲୋକେ ପୁନର୍ବାର ଖାତା ଚେକିଂ ପାଇଁ ଆବେଦନ କରି ଜାଣିବାକୁ ପାଇଲେ ଏ-୧ ପାଇଥିବା ଜନ୍ମେଜୟକୁ ଖାତା ଦେଖା ତ୍ରୁଟି ଯୋଗୁଁ ଏ-୨ କୁ ଖସି ଆସିଛି । ଏ ନେଇ ପୁରା ପରିବାର ଉଚ୍ଚଶିକ୍ଷା ମନ୍ତ୍ରୀ ପାଖରୁ ଆରମ୍ଭ କରି ବୋର୍ଡ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ନୂତନ ସାର୍ଟିଫିକେଟ ପାଇବାରୁ ବଞ୍ଚିତ । ପୁରୁଣା ମାର୍କ ସିଟ୍ ଓ ସଂଶୋଧିତ ମାର୍କ ସିଟ୍ ମିଳିବାରେ ବିଳମ୍ବ ହୋଉଛି । ଏହି ମେଧାବୀ ଛାତ୍ରଙ୍କ ସ୍ୱପ୍ନ ଥିଲା ପ୍ରଥମ ଶ୍ରେଣୀରେ ନାମ ଆଣିବା । କିନ୍ତୁ ବୋର୍ଡ ଖାତାରେ ହୋଇଥିବା ତ୍ରୁଟି ତାଙ୍କୁ କଷ୍ଟ ଦେଇଛି । ତ୍ରୁଟି ଧରିବା ପରେ ଅଭିଭାବକ ଅଭିଯୋଗ କଲେ, ବୋର୍ଡ ସେହି ତ୍ରୁଟିକୁ ସୁଧାରିଲା । କିନ୍ତୁ, ସଂଶୋଧିତ ସାର୍ଟିଫିକେଟ୍ ମିଳୁ ନଥିବାରୁ ଛାତ୍ରର ଭବିଷ୍ୟତ ପ୍ରଶ୍ନ ଚିହ୍ନରେ । ବୋର୍ଡ କାର୍ଯ୍ୟାଳୟରେ କେତେଥର ଯାଇ ଏ ବିଷୟରେ ଲିଖିତ ଅଭିଯୋଗ କରି ସାରିବା ପରେବି ନୂଆ ସାର୍ଟିଫିକେଟ ମିଳି ପାରୁନାହିଁ । ମେଧାବୀ ଛାତ୍ରଙ୍କୁ ସମୟରେ ସର୍ଟିଫିକେଟ୍ ଦେଇ ସାହାଯ୍ୟ କରିବା ବୋର୍ଡର ଦାୟିତ୍ୱ । ଏହି ପ୍ରକାର ଅସୁବିଧା ତାଙ୍କୁ ନିରାଶ କରୁଛି ।