ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ‘ନିର୍ଭୟରେ ସ୍ୱପ୍ନ ଦେଖ’

ଭୁବନେଶ୍ୱର: ଝିଅମାନେ ନିର୍ଭୟରେ ସ୍ୱପ୍ନ ଦେଖନ୍ତୁ  । ସମାଜର ସମସ୍ତ ବାଧାବିଘ୍ନକୁ ଭାଙ୍ଗି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ  । ‘ଏହା ତୁମର ସମୟ, ତୁମର ମୁହୂର୍ତ୍ତ, ତୁମର ଓଡ଼ିଶା’  । ମହିଳା ଦିବସରେ ଝିଅମାନଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । 
ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତିଯେ, ସଶକ୍ତିକରଣର ପ୍ରକୃତ ଅର୍ଥ ମହିଳାମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ନୁହେଁ  । ଏହାର ପ୍ରକୃତ ଅର୍ଥ ହେଉଛି ପରିବାର ତଥା ସାମାଜିକ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର  । ଆମ ସରକାର ସଶକ୍ତିକରଣର ଏହି ବ୍ୟାପକ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମେ ଓଡ଼ିଶାର ଅଧା ଜନସଂଖ୍ୟା ଅର୍ଥାତ ସମଗ୍ର ମହିଳା ସମାଜକୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ସ୍ତରରେ ସଶକ୍ତ କରିବୁ  । ଯାହାଦ୍ୱାରା ମହିଳାମାନେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ  । ଓଡ଼ିଶାରେ ଏବେ ପରିବର୍ତ୍ତନର ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେଯେ, ରାଜନୈତିକ ପରିବର୍ତ୍ତନ ସହିତ ସମାଜର ସବୁ କ୍ଷେତ୍ରରେ ପରିବର୍ତ୍ତନର ସ୍ରୋତ ବହିବା ଆରମ୍ଭ କରିଛି  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର ମହିଳା ସଶକ୍ତିକରଣ ପାଇଁ ଏକ ଐତିହାସିକ ଏବଂ ପଥପ୍ରଦର୍ଶନକାରୀ “ସୁଭଦ୍ରା” ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି  । ଏହା ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଯୋଜନା ଏବଂ ଓଡ଼ିଶାର ବିକାଶ କାହାଣୀକୁ ପୁନଃ ଲିଖିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ  । ଏହି ଯୋଜନାରେ ୧ କୋଟି ମହିଳା ସଶକ୍ତ ହେବାର ରାସ୍ତା  ଖୋଲିଛି ।   ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ସେମାନେ କହୁଛନ୍ତି ସୁଭଦ୍ରା ଯୋଜନାରେ ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛନ୍ତି  । ସେମାନେ କହିପାରିବେ କି, ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ୨୪ ବର୍ଷରେ ୨୪ ପଇସା ସେମାନେ ଦେଇଛନ୍ତି କି ? ଆମେ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବୁ  । ସରକାର ଆସିବେ ଯିବେ କିନ୍ତୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆମ ସମସ୍ତଙ୍କୁ ମହିଳାମାନଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ  । ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ (ସୁଭଦ୍ରା କ୍ଲବ), ‘କୁହ ସୁଭଦ୍ରା (କଲ୍ ସେଣ୍ଟର)’, ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ’ ଓ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ନୂତନ ଯୋଜନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ  । କାହା କଥାରେ ଆମେ ଅଟକି ଯିବୁନାହିଁ ବୋଲି ସେ କହିଥିଲେ  ।  ଏହି ଅବସରରେ ମହିଳା ସୁରକ୍ଷା ଏବଂ ସେମାନଙ୍କ ନିରାପତ୍ତା ପ୍ରତି ସରକାରଙ୍କ ପ୍ରୟାସର ନିଦର୍ଶନ ସ୍ୱରୂପ, ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ‘ଶକ୍ତି' ଆପ୍ ରୋଲ୍-ଆଉଟ୍  କରିଥିଲେ  । ଏହି ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ମହିଳାମାନଙ୍କ ପାଇଁ ଦେବଦୂତ ଭାବରେ କାର୍ଯ୍ୟ କରିବ ବୋଲି ସେ କହିଥିଲେ  । ଏକ ବଟନ୍ କ୍ଲିକ୍ରେ ତୁରନ୍ତ ଜରୁରୀକାଳୀନ ସୁରକ୍ଷା ସହାୟତା ପ୍ରଦାନ କରିବ  । ଏହି ଆପ୍ ଜରିଆରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କ ପାଖରେ ସୁରକ୍ଷାର ଏକ ଢାଲ, ବିପତ୍ତିରେ ଏକ ସାଥୀ, ଏବଂ ସଶକ୍ତିକରଣ ପାଇଁ ଏକ ସାଧନ ହେବ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ରଣନୀତିକ କାର୍ଯ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ  । ୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ  । ବାଲ୍ୟବିବାହ ରୋକିବା ଦିଗରେ ଏହା ସହାୟକ ହେବ  । ଓଡ଼ିଶାରେ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା କୁନ୍ତଳା କୁମାରୀ ସାବତ, ସରଳା ଦେବୀ, ମା ରମାଦେବୀ, ମାଳତୀ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି, କ୍ୟାପଟେନ ଲକ୍ଷ୍ମୀ ପଣ୍ଡାଙ୍କ ପରି ମହିୟସୀ ମହିଳା, କଳା , ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ସଂଯୁକ୍ତା ପାଣିଗ୍ରାହୀ, ପାର୍ବତୀ ଘୋଷ, ଡକ୍ଟର ପ୍ରତିଭା ରାୟ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ପରି ମହିୟସୀ ମହିଳାମାନଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ  । ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ମରଣ କରିଥିଲେ  ।  କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ସୁନ୍ଦରଗଡ଼ ଜିଲ୍ଲା ଶିୁଶୁ ସୁରକ୍ଷା ଅଧିକାରୀ  ଶ୍ରୀବନ୍ତ ଜେନା ଏବଂ ରାୟଗଡ଼ା ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ଯଶସ୍ୱିନୀ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲାର ବିମଳା କିଶୋରୀ ଖେସ୍, ମୟୁରଭଞ୍ଜ ଜିଲ୍ଲାର ସ୍ମୃତିଲତା ପରିଡ଼ା, କେନ୍ଦୁଝରର ଗୀତାଞ୍ଜଳୀ ନାୟକ, ପୁରୀର ସୁବ୍ରତାରାଣୀ ବେହେରା, ବଲାଙ୍ଗୀରର ସବିତା ବର୍ମା, ମାଲକାନ୍ଗିରିର ବୈଦେହୀ ଦୁରୁ ଏବଂ ମୟୁରଭଞ୍ଜର ଅଶ୍ରୁମଣି ହେମ୍ରମ୍ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ  । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଅଙ୍ଗନବାଡି କର୍ମୀ ଜୟନ୍ତି ନାୟକ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ମୃତୁ୍ୟହାର ସହିତ ବାଲ୍ୟବିବାହ ରୋକିବା ଦିଗରେ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ  । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେଯେ, ମହିଳାଙ୍କ ସମୃଦ୍ଧି ଓ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି  । ସରକାର ବଦଳିଛି, ମହିଳାଙ୍କ ପାଇଁ ଏକ ନୂଆ ଦୁନିଆ ଦେବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ  । ମହିଳାଙ୍କ ସୁରକ୍ଷା ନ ହେଲେ ଅର୍ଥନୈତିକ ଓ ସାମାଜିକ ପ୍ରଗତି ସବୁ ତୁଚ୍ଛ  । ସୁଭଦ୍ରା ଯୋଜନାର ସଫଳତା ପାଇଁ ତୃଣମୂଳସ୍ତରରେ କାମ କରିଥିବା ପ୍ରତ୍ୟେକଙ୍କୁ ସେ ଧନ୍ୟବାଦ ଜଣାଇଥିଲେ  । ଆଜିର ଦିନ ଆମ ପାଇଁ ମହିଳାଙ୍କୁ ଏକ ସୁରକ୍ଷିତ ବାତାବରଣରେ ଆଗକୁ ବଢ଼ିବାର ସୁଯୋଗ ଦେବାପାଇଁ ସଂକଳ୍ପର ଦିନ ବୋଲି ସେ କହିଥିଲେ  । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୁଭା ଶର୍ମା, ୟୁନିସେଫ କ୍ଷେତ୍ର ସେବା ମୁଖ୍ୟ ସୋଲେ ଡାଡ୍ ହେରେରୋ ନିଜର ଅଭିଭାଷଣ ରଖିଥିଲେ  । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ  ଶୁଭା ଶର୍ମା ସ୍ୱାଗତ ଭାଷଣ ଓ ନିଦେ୍ର୍ଦଶିକା ଆଇସିଡିଏସ୍ ମୋନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ  ।