ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା

କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ । ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ । ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବୈଠକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା ପାଇଁ ପଞ୍ଜୀକରଣ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲରେ ସହାୟତା ନ ନେବା ପାଇଁ ଅପ୍ଟ ଆଉଟ କରିଛନ୍ତି ବା ସେୱଚ୍ଛାକୃତ ଭାବେ ମନା କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ସେହିପରି ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ ପଡିଛନ୍ତି ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ସୁଭଦ୍ରା ସହାୟତା ପରିଚାଳନା ସୁବ୍ୟବସ୍ଥା ପାଇଁ କାର୍ଯ୍ୟକାରୀ ହୋଇଥିବା ସହାୟତା କେନ୍ଦ୍ର ବ୍ୟବସ୍ଥାକୁ ଆଉ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ସୁଭଦ୍ରା ହେଲ୍ପ ଲାଇନ ମଧ୍ୟ ଜାରି ରହିବ ।