ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରସ୍ତୁତି
ଭୁବନେଶ୍ୱର : ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୧୩ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୭ ବର୍ଷରେ ପଦାର୍ପଣ କରୁଛି । ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଏପ୍ରିଲ ୧୩ ଓ ୧୪ ଦୁଇଦିନ ଧରି ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ୧୪ଦିନ ପର୍ଯ୍ୟନ୍ତ ରାଜଧାନୀରେ ଉସôବର ମାହୋଲ ରହିବ । ଏହାକୁ ଦୃଷ୍ଟିରେ ରଖି ଅପ୍ରେଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉସôବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସକୁ ଶାନ୍ତି, ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।