୨ ପିଲାଙ୍କୁ ବିଷ ଦେଇ ବାପାମା’ଙ୍କ ଆତ୍ମହତ୍ୟା
ବେଙ୍ଗାଲୁରୁ: କଅଁଳ ବୟସର ଦୁଇ ପିଲାଙ୍କୁ ନିଜ ହାତରେ ବିଷ ଦେଇ ହତ୍ୟା କଲେ । ପରେ ନିଜର ମାନସିକ ଭାରସାମ୍ୟ ହରାଇ ବାପାମା’ ଦୁହେଁ ବେକରେ ରଶି ଲଗାଇ ଝୁଲିପଡ଼ିଲେ । ଉତ୍ତରପ୍ରଦେଶ ପ୍ରୟାଗରାଜର ବାସିନ୍ଦା ଅନୁପ କୁମାର (୩୮) ଓ ତାଙ୍କ ପତ୍ନୀ ରାକ୍ଷୀ (୩୫) କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଏକ ଭଡ଼ାଘରେ ରହି ଏପରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତୁ୍ୟବରଣ କରିଥିବା ପିଲା ଦୁଇଜଣ ହେଉଛନ୍ତି ଝିଅ ଅନୁପ୍ରିୟା (୫) ଓ ପୁଅ ପ୍ରିୟାଂଶ (୨) ।
ଅନୁପ ସଫ୍ଟୱେୟାର କନ୍ସଲ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାରୁ ନିଜର ଦୁଇ ପିଲାଙ୍କୁ ନେଇ ବେଙ୍ଗାଲୁରୁରେ ଭଡ଼ାରେ ରହୁଥିଲେ । ସୋମବାର ସକାଳେ ଅନୁପଙ୍କ ଘରେ କାମ କରୁଥିବା ସହାୟକ ଆସିଥିଲେ । ସେ କବାଟ ବାଡ଼େଇବା ସହ ଫୋନ କରିଥିଲେ ମଧ୍ୟ ଘର ଭିତରେ କୌଣସି ଉତ୍ତର ମିଳି ନ ଥିଲା । ଫଳରେ ଘରୋଇ ସହାୟକ ଜଣଙ୍କ ପଡ଼ୋଶୀଙ୍କୁ ଜଣାଇବା ସହ ପୁଲିସ୍କୁ ସୂଚନା ଦେଇଥିଳେ । ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଘରର କବାଟ ଭାଙ୍ଗି ଭିତରକୁ ପଶିବା ସହ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅନୂପ ଓ ରାକ୍ଷୀ ପ୍ରଥମ ନିଜର ଦୁଇ ପିଲାଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ଏହାପରେ ଉଭୟ ବେକରେ କପଡ଼ା ବାନ୍ଧି ଝୁଲି ପଡିଥିଲେ । ଝିଅ ଅନୁପ୍ରିୟାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦମ୍ପତି ସବୁବେଳେ ଚିନ୍ତାରେ ରହୁଥିଲେ । ଏହି କାରଣ ପାଇଁ ସେମାନେ ଏଭଳି ପଦକ୍ଷେପ ନେଇଥିବା ସନେ୍ଦହ କରାଯାଉଛି । ଘରୋଇ ସହାୟକ ଜଣକ କହିଛନ୍ତି ଯେ ଅନୂପ ଓ ରାକ୍ଷୀ ପିଲାଙ୍କ ସହ ପୁଡୁଚେରୀ ଯିବାର ଥିଲା । ଏଥିପାଇଁ ରବିବାର ପ୍ୟାକିଂ ମଧ୍ୟ ଶେଷ ହୋଇଥିଲା । ଅନୁପ ନିଜର ପିଲା ଓ ଘର କାମ ପାଇଁ ୩ ଜଣଙ୍କୁ ନିଯୁକ୍ତ କରିଥିଲେ । ଏମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ଦେଉଥିଲେ । କିନ୍ତୁ ସେମାନେ ଏଭଳି ପଦକ୍ଷେପ କାହିଁକି ନେଲେ ତାହା ଜଣାନାହିଁ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।