ତହସିଲଦାରଙ୍କୁ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଭଳି ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ ଅଗ୍ରୱାଲ ନାମକ ଜଣେ ସ୍ଥାନୀୟ ବାସିନ୍ଦା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଗୁହାରି କରିଥିଲେ। ସୂଚନଯୋଗ୍ୟ, କୁଚିଣ୍ଡା ମନ୍ଦିର ଛକର ବିଶିଷ୍ଟ ବ୍ୟବସାୟୀ ଜଗଦୀଶ ଲାଲ ସେଠଙ୍କ ପରଲୋକ ପରେ ତାଙ୍କ ନାମରେ ଥିବା ପ୍ରାୟ ୧୦ ଏକର ଜମି ଭାଗବଣ୍ଟା ଆବେଦନ ବିଚାରାଧିନ ରହିଥିଲା।
ଉକ୍ତ ଜମିର ୨୭ ଜଣ ଦାବିଦାର ଥିବା ବେଳେ ତହସିଲଦାର ଦଳେଇ ଚଞ୍ଚକତା କରି ସେଥିରୁ ୨୯ ଡେସିମିଲ ଜମିକୁ ଆରଆଇଙ୍କ ୨୦୨୪ ନଭେମ୍ବର ୧୯ରେ ତଦନ୍ତ ରିପୋର୍ଟ ନମ୍ବର ୬୬୦ ଆଧାରରେ ମାତ୍ର ୪ଜଣ ଦାବିଦାର ଜୀବିତ ଥିବା ଦର୍ଶାଯାଇ ପଟ୍ଟା ପ୍ରଦାନ କରିଥିଲେ। ଏପରିକି ରାଜେଶଙ୍କ ପରିବାରର କେହି ଜୀବିତ ନଥିବା ସମ୍ପୃକ୍ତ ଆରଆଇ ରିପୋର୍ଟ ଦେଇଥିବା ଦର୍ଶାଇ ତହସିଲଦାର ଦଳେଇ ପକ୍ଷପାତିତା ପୂର୍ବକ ରାଜେଶଙ୍କ ୪ଜଣ ପ୍ରତିପକ୍ଷଙ୍କ ନାମରେ ପଟା ପ୍ରଦାନ କରିଥିଲେ। ଏହାର ବିରୋଧ କରି ରାଜେଶ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିବାରୁ ସୋମବାର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।