ଆନ୍ତଃ ବିଭାଗୀୟ କ୍ରୀଡ଼ା ପ୍ରତିଯୋଗିତା

 ସମ୍ବଲପୁର : ପୂର୍ବତଟ ରେଳପଥ କ୍ରୀଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଆନ୍ତଃ ବିଭାଗୀୟ ଖେଳ ଟୁର୍ଣ୍ଣାମେଣ୍ଟ ୨୦୨୫ର ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ କ୍ରିକେଟ, ଭଲିବଲ୍, ବ୍ୟାଡ୍ମିଣ୍ଟନ୍ ଓ ଟେନିସ୍ ଆଦି ଖେଳ ଅର୍ନ୍ତଭୁକ୍ତ । ଏହି ପ୍ରତିଯୋଗିତାକୁ ମଣ୍ଡଳ ରେଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲିନା ପାଣ୍ଡେ ଯୋଗ ଦେଇଥିଲେ । କ୍ରୀଡାରେ ସକ୍ରିୟ ଅଂଶଗ୍ରହଣ ଆମକୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରଖିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ପାଣ୍ଡେ କହିଛନ୍ତି । ଉଦ୍ଘାଟନୀ କ୍ରିକେଟ ମ୍ୟାଚ୍ ଆପିଏଫ୍ ଦଳ ବନାମ ପରିଚାଳନା ଦଳ ମଧ୍ୟରେ ହୋଇଥିଲା । ଆର୍ପିଏଫ୍ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୫ ୱିକେଟ ବିନିମୟରେ ୭୮ ରନ୍ ସଂଗ୍ରହ କରିଥିଲା । ଜବାବରେ ପରିଚାଳାନ ଦଳ ୯.୧ ଓଭରରେ ୪ ୱିକେଟ ହରାଇ ୭୯ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ୍ରେ ବୈଦୁ୍ୟତିକ (ସାଧାରଣ) ଓ ବୈଦୁ୍ୟତିକ (ଓପି) ମଧ୍ୟରେ ହୋଇଥିଲା । ଏଥିରେ ଓପି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୨ ୱିକେଟ ବିନିମୟରେ ୧୨୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସାଧାରଣ ଦଳ ୧୦ ଓଭରରେ ୬ ୱିକେଟ ହରାଇ ୬୭ ରନ ସଂଗ୍ରହ କରି ମ୍ୟାଚ୍ ହାରି ଯାଇଥିଲା । କ୍ରୀଡା ଅଧିକାରୀ ରିତେଶ ମେହେର, କ୍ରୀଡା ସଚିବ ଆଲୋକ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନେକ ଦର୍ଶକ ଉପସ୍ଥିତ ଥିଲେ ।