ବିସ୍ମୟକର ଶିଶୁ କନ୍ୟାର ବାଲ୍ୟ ପ୍ରତିଭା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ନକଟିଗୁଡାରେ ରହୁଥିବା ୨ବର୍ଷ ଶିଶୁ କନ୍ୟାର ବିସ୍ମୟକର ବାଲ୍ୟ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିଶୁର ନାମ ସ୍ୱୟଂଶ୍ରୀ ନାୟକ, ବୟସ ମାତ୍ର ଦୁଇ ବର୍ଷ ତିନି ମାସ । ପିତା ଗୌରୀ ଶଙ୍କର ନାୟକ, ମାତା ପଦ୍ମିନୀ ପାତ୍ର ହୋଇଥିବା ବେଳେ ଶିଶୁର ଅବିଶ୍ୱସନୀୟ ସ୍ମରଣଶକ୍ତି ସମ୍ପନ୍ନ । ଏତେ କମ୍ ବୟସରୁ ସ୍ପଷ୍ଟ ଭାବେ ମନେ ରଖି କହି ପାରୁଛନ୍ତି ଏବଂ ଜିନିଷ ପତ୍ର ଚିହ୍ନି ପାରୁଛନ୍ତି । ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଓ ମନେ ରଖି ପାରୁଥିବା ସହ ଉଭୟ ଓଡିଆ ଓ ଇଂରାଜୀ ଗଣନା, ଉଭୟ ଭାଷାରେ ସାତ ବାରର ନାମ, ବାର ମାସର ନାମ, ଛଅ ଋତୁର ନାମ, ବିଭିନ୍ନ ଆକୃତି ଓ ରଙ୍ଗର ନାମ, ହିନ୍ଦୀ ଓ ଇଂରାଜୀ ଭାଷାରେ ସମାନ ଶବ୍ଦ ଉଚ୍ଚାରଣ, ବନ୍ୟ ଓ ଗୃହ ପାଳିତ ପଶୁ ପକ୍ଷୀଙ୍କ ନାମ, ବିଭିନ୍ନ ପନିପରିବାର ନାମ, ଜିଲ୍ଲା ଗୁଡିକର ନାମ, ବିଭିନ୍ନ କ୍ରିୟା ଗୁଡିକର ନାମ, ବିଭିନ୍ନ ଫୁଲ ଓ ଫଳର ନାମ, ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ଯାନ ବାହାନର ନାମ, ଇଂରାଜୀ ଅକ୍ଷରରେ ବିଭିନ୍ନ ଶବ୍ଦ, ବିଭିନ୍ନ ମନ୍ତ୍ର ଉଚ୍ଚାରଣ, ବିଭିନ୍ନ ବୃତ୍ତିର ନାମ, ସାଧାରଣ ଜ୍ଞାନ, ଜାତୀୟ ସଂକେତ, ଜାତୀୟ ସଙ୍ଗୀତର କିଛି ଅଂଶ, ବିଭିନ୍ନ ସରୀସୃପର ନାମ ମନେ ରଖିପାରିଛନ୍ତି । ତେବେ ଏହା ସତରେ ଏକ ଆଶ୍ଚର୍ଯ୍ୟଜନକ ଲାଗେ । ତାଙ୍କର ଏସବୁ ପ୍ରତିଭା ଦେଖିବା ପାଇଁ ତାଙ୍କ ଘରେ ଅଞ୍ଚଳର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।