ହିମାଂଶୁଙ୍କ ସହ ହାତ ମିଳାଇଲେ ଶ୍ରୀକାନ୍ତ ,ଧର୍ମଶାଳାରେ ବଢୁଛି ସ୍ୱାଧୀନ ପ୍ରାର୍ଥୀଙ୍କ ବଳ
ଜାରକା,: ଚଳିତମାସ ପ୍ରଥମ ସପ୍ତାହରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଶ୍ରୀକାନ୍ତ ସାହୁ ଧର୍ମଶାଳାର ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ବଳ ଦେଇଛନ୍ତି ।
ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ଶ୍ରୀକାନ୍ତ ନିରାଶ ହେବା ପରେ ଦଳ ଛାଡ଼ିଥିଲେ । କିନ୍ତୁ ଗଲାକାଲି ରାତିରେ ଶ୍ରୀକାନ୍ତ ହିମାଂଶୁଙ୍କ ସହ ହାତ ମିଳାଇଥିଲେ । ଧର୍ମଶାଳାରୁ ବଂଶବାଦ ରାଜନୀତି ହଟାଇବାକୁ ଶପଥ ନେଇ ଶ୍ରୀକାନ୍ତ ହିମାଂଶୁଙ୍କୁ ନିର୍ବାଚନରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ କରିଥିଲେ ଘୋଷଣା । ଶ୍ରୀକାନ୍ତ ଧର୍ମଶାଳା ବିକାଶ ପରିଷଦ ଗଠନ କରି ତାରିମାଧ୍ୟରେ ଧର୍ମଶାଳାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଖାସ ମଧ୍ୟରେ ସେଥିଲେ ଅନ୍ୟତମ ଜଣେ । କିନ୍ତୁ କିଛିବର୍ଷ ଧରି ଶ୍ରୀକାନ୍ତ ବିଧାୟକ କ୍ୟାମ୍ପ ଛାଡ଼ି ନିଜର ସଂଗଠନ ବୃଦ୍ଧି କରିଥିଲେ । ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ବିଜେଡ଼ି ବ୍ୟାନର ତଳେ ନିଜର ସମର୍ଥକଙ୍କୁ ଏକାଠି କରିଥିଲେ । ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିବା ଏବଂ ଏନେଇ ସେ ଆବେଦନ କରିଥିବା କଥା ସ୍ପଷ୍ଟ କରିଥିଲେ । ଏକାଧିକ ସ୍ଥାନରେ ବୈଠକ ହେଉ କି ଶୋଭାଯାତ୍ରା କରି ଶ୍ରୀକାନ୍ତ ନିଜର ବଳ ପ୍ରଦର୍ଶନ କରିଥିଲେ । ହେଲେ ଦଳ ପ୍ରଣବଙ୍କ ଉପରେ ହିଁ ଭରସା କରିଥିଲା । ଦଳର ନିଷ୍ପତ୍ତିକୁ ଗ୍ରହଣ କରିପାରିଥିବା ଶ୍ରୀକାନ୍ତ ଇସ୍ତଫା ଦେବା ବେଳେ ଦଳରେ ଆମେ ଅଲୋଡ଼ା ଅଖୋଜା ହୋଇପଡ଼ିଛୁ । ମୋତେ ଓ ମୋର ସହଯୋଗୀ ମାନଙ୍କୁ ଗୁରୁତ୍ୱହିନ କରାଯାଇଛି । ବିଜୁ ଜନତା ଦଳର ନିୟମ ଓ ଆଦର୍ଶକୁ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଅଣଦେଖା କରାଯାଇଛି ବୋଲି କହିଥିଲେ । ଦୁଇସପ୍ତାହ ହେଲା ନିରବରେ ବସିଥିବା ଶ୍ରୀକାନ୍ତ ପ୍ରଣବଙ୍କୁ ପାନେ ଦେବାକୁ ସ୍ୱାଧୀନପ୍ରାର୍ଥୀ ହିମାଂଶୁଙ୍କ ସହ ହାତ ମିଳାଇଛନ୍ତି । ହିମାଂଶୁଙ୍କ ସହ ସାମିଲ ହେବା ପରେ ଆଗାମୀ ନିର୍ବାଚନରେ ନିଜର କଳ ବଳ ଖଟାଇ ସେ ସହଯୋଗ କରିବେ ବୋଲି କହିଛନ୍ତି । ଉଭୟ ମିଳିତ ଭାବେ ଲଢ଼ି ଧର୍ମଶାଳାରେ ବଂଶବାଦ ରାଜନୀତିକୁ ହଟାଇବେ ବୋଲି ଘୋଷଣା କରିଥିଲେ ଶ୍ରୀକାନ୍ତ । ଶ୍ରୀକାନ୍ତ ହିମାଂଶୁଙ୍କ ସହହାତ ମିଳାଇବା ପରେ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀଙ୍କ ବଳ ବଢିବ ବୋଲି କୁହାଯାଉଛି ।