ଦୁଇ ମାସ ହେଲାଣି: ଦରମା ପାଇନାହାଁନ୍ତି ଏକ୍ସ କ୍ୟାଡର ଶିକ୍ଷକ
ବେତନଟୀ: ଦୁଇ ମାସ ସରି ୩ ମାସ ପୂରିବାକୁ ବସିଲାଣି, ମିଳିଲାନି ସ୍ୱଳ୍ପ ବେତନ ଭୋଗୀଙ୍କ ବେତନ । ଆଶା କରିଥିଲେ ଦରମା ମିଳିଲେ ମୟୂରଭଞ୍ଜର ଗଣପର୍ବ ମକରକୁ ପରିବାର ସହିତ ଆନନ୍ଦରେ ପାଳିବେ, ହେଲେ ମକର ପୂର୍ବରୁ ମିଳିଲାନି ଦରମା ଟଙ୍କା । ପକେଟ ଫାଙ୍କା ଥିବାରୁ ଫିକା ପଡିଲା ମକର ଉସôବ । ଧାର ଉଧାର କରି ଅଳ୍ପ ସ୍ୱଳ୍ପରେ କୌଣସି ପ୍ରକାର ମକର ସିନା କଟିଗଲା ହେଲେ ଚଳିତ ମାସର ଦରମା ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନଥିବାରୁ ଅସହାୟ ଅବସ୍ଥାରେ ସ୍ୱଳ୍ପ ବେତନଭୋଗୀ । ବେତନଟୀ ବ୍ଲକର ଏକ୍ସ କ୍ୟାଡର ଶିକ୍ଷକମାନେ ଗତ ୨ ମାସ ହେଲା ଦରମା ନପାଇ ଆର୍ଥିକ ଅନଟନରେ ଦିନ କାଟୁଛନ୍ତି । ହାଟ ବଜାରକୁ ବାହାରିବାକୁ ନୈତିକ ସାହସ ହରାଇ ବସିଛନ୍ତି । ବାଟେଘାଟେ କାଳେ କିଏ ବାକି ଟଙ୍କା ମାଗିଦେବାର ଅଜଣା ଭୟ ସେମାନଙ୍କୁ ଆତଙ୍କିତ କରୁଛି । ନିଜ ପିଲାଙ୍କ ହଷ୍ଟେଲ ଓ ଟୁ୍ୟସନ ଟଙ୍କା ପୈଠ କରିନପାରି ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି । କୌଣସି ସାମାଜିକ କିମ୍ବା ପାରିବାରିକ ଉସôବରେ ସାମିଲ ହେବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି । ଦରମା ଉପରେ ସଂପୂର୍ଣ୍ଣ ପରିବାର ନିର୍ଭର କରୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ ଅସନ୍ତୋଷ ତେଜୁଛି । ଶୀଘ୍ର ଦରମା ଟଙ୍କା ପ୍ରଦାନ କରାନଗଲେ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଳିତ ଭାବେ ବିଇଓ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପ୍ରକାଶ କରିଛନ୍ତି ।