ବିକାଶର ରାହା ଖୋଜୁଛି ରାଣୀପାର୍କ ବସଷ୍ଟାଣ୍ଡ

ତାଳଚେରରୁ ଅକ୍ଷୟ ମହାରଣା : ଶିଳ୍ପନଗରୀ ତାଳଚେର ରାଜ୍ୟରେ ଏକ ନିଜସ୍ୱ ପରିଚୟ ସୃଷ୍ଟିି କରିପାରିଛି । ଖଣିଖାଦାନ, ଶିଳ୍ପ ଓ ପର୍ଯ୍ୟଟନ ସବୁଥିରେ ନିଜର ପାରଦର୍ଶିତା ଲାଭ କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିବାର ଚଳାଇବା ପାଇଁ ତାଳଚେର ସହରକୁ ଆସିଥାନ୍ତି । ଖଣିଖାଦାନ ଥିବା ବେଳେ ଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ଖଣିଜ ପଦାର୍ଥ ମଧ୍ୟ ରପ୍ତାନୀ ହୋଇଥାଏ । ହେଲେ ଯୋଗାଯୋଗ ମୁଖ୍ୟ ଆଧାର ପାଲଟିଥିବା ତାଳଚେର ରାଣୀପାର୍କ  ବସଷ୍ଟାଣ୍ଡକୁ ଦେଖିଲେ, ବିକାଶର ବହୁ ଦୂରରେ ଥିବା ମନେ ହେଉଛି ।
ରାଜ୍ୟ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ଆଜି ତାର ମୌଳିକ ଅଧିକାରରୁ ବଞ୍ଚôତ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗରୁ ଦେଖିବାକୁ ଗଲେ ଆଖପାଖ ଅଞ୍ଚଳରୁ ଏଠାକୁ ଗମନା ଗମନ ଉପରେ ନିର୍ଭର କରୁଥିବା ରୋଜଗାର ପନ୍ଥାର ଏହି ବାଟ ଏତେ ସହଜ ହୋଇ ପାରୁନି । ହେଲେ ଗମନାଗମନର ପ୍ରମୁଖ ମାର୍ଗଭାବେ ରାଣୀପାର୍କ ବସଷ୍ଟାଣ୍ଡର ବ୍ୟବସ୍ଥା ସେତେଟା ଆଖିଦୃଶିଆ ସମସ୍ୟାର ସମାଧାନ ହୋଇପାରିନି । ତାଳଚେର ସହରବାସୀଙ୍କ ପାଇଁ ଓ ବାହାର ଲୋକଙ୍କ ପାଇଁ ଏହି  ବସଷ୍ଟାଣ୍ଡଟିର ଉନ୍ନତି ହୋଇ ପାରୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ଏହି ରାଣୀପାର୍କ ବସ୍ଷ୍ଟାଣ୍ଡ ଆସିବାକୁ ହେଲେ ବହୁ ବାଧାବିଘ୍ନ ଯାତ୍ରୀମାନଙ୍କୁ ସହ୍ୟ କରିବାକୁ ପଡ଼ୁଛି ।  ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଜାତୀୟ ରାଜପଥ ଉପରେ ଶହଶହ ସଂଖ୍ୟକ କୋଇଲା ବୋଝେଇ ଟ୍ରକ, ଲମ୍ବା ଲାଇନ୍, ଟ୍ରାଫିକ ସମସ୍ୟା, ଧୂଳି, ଧୂଅାଁ, କୋଇଲା ଗୁଣ୍ଡରେ ଲୋକେ ଅତିଷ୍ଠ; ଯିବେ କୁଆଡ଼େ, ବାସ୍ ସେଇ ଗୋଟିଏ ଉପାୟ, ଗୋଟିଏ ବିକଳ୍ପ । ଚର୍ତୁଦିଗରୁ ରାଣୀପାର୍କ ବସଷ୍ଟାଣ୍ଡକୁ ସଂଯୋଗ କରୁଛି ଏକ ମାତ୍ର ତାଳଚେର ସହରର ଜାତୀୟ ରାଜପଥ । ତାଳଚେରବାସୀ ଓ ତାଳଚେରକୁ ଆସୁଥିବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯାତ୍ରୀ ଏବଂ ଅଂଚଳବାସୀ ଯେମିତି ଭୋଗ କରୁଛନ୍ତି ଯମଯନ୍ତ୍ରଣା ଏଥିରୁ କେବେ ମିଳିବ ନିସ୍ତାର ସେନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିର୍ବାଚିତ ଲୋକପ୍ରତିନିଧି ନା ସ୍ଥାନୀୟ ପ୍ରଶାସନ ନା ଜିଲ୍ଲା ପ୍ରଶାସନ କେହି ହେଲେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉନାହାନ୍ତି ବୋଲି ପ୍ରାୟ ସମୟରେ ଶୁଣିବାକୁ ମିଳେ । ଏତେଶୟ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ତାଳଚେର ଏକ ଅଭିଶପ୍ତ ଅବସ୍ଥାରେ ଗତି କରୁଛି ବୋଲି ଲୋକେ ମତ ରଖୁଛନ୍ତି । ଜାତୀୟ ରାଜପଥର ପ୍ରତ୍ୟେକ ସମୟରେ ଜାମ ରହୁଥିବାରୁ ଲୋକେ ତାଳଚେରରୁ ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ରାଉକେଲା ଏମିତିକି ଆଖପାଖ ଅଞ୍ଚଳକୁ ଯିବା ଆସିବା ନିମନ୍ତେ ବହୁବାର ହଇରାଣ ହରକତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଳଚେର  ବସଷ୍ଟାଣ୍ଡକୁ ଯାତ୍ରୀମାନେ ଆସିବାକୁ ଯେଉଁ ଜାତୀୟ ରାଜପଥଟି ପଡ଼ିଛି ତାହା ସବୁ ସମୟରେ ଭାରୀଯାନ ଚଳାଚଳ, ଟ୍ରାପିକ ସମସ୍ୟା ଏବଂ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଯୋଗୁଁ ସଠିକ୍ ସମୟରେ ପଂହଚିବା ସମ୍ଭବପର ହେଉନାହିଁ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଯାତାୟତ ପାଇଁ ଯଥେଷ୍ଟ ସୁବିଧା ହୋଇନି । ଯାହାକି ବରିଷ୍ଠ ନାଗରିକ, ରୋଗୀ ଓ ଭିନ୍ନକ୍ଷମ ମାନେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅପରପକ୍ଷେ ଯାତ୍ରୀମାନେ ବସ୍କୁ ଅପେକ୍ଷା କରି ରହୁଥିବା ବେଳେ ସେମାନଙ୍କ ପାଇଁ ବିଶ୍ରାମ କକ୍ଷ କିିମ୍ବା ଚେୟାର ନଥିବାରୁ ସେମାନେ ଏଣେତେଣେ ଘୁରି ବୁଲୁଛନ୍ତି ଏବଂ  ବସଷ୍ଟାଣ୍ଡରେ ଯେଉଁ କେତୋଟି ପିଣ୍ଡି ନିର୍ମିତ ହୋଇଛି ତାହା ଯାତ୍ରୀଙ୍କ ତୁଳନାରେ ବହୁତ କମ୍ । ବିଶେଷ କଥା ହେଉଛି ପ୍ରାୟ ସମୟରେ ଯାତ୍ରୀମାନଙ୍କର ମନିପର୍ସ, ମୋବାଇଲ, ଟଙ୍କା ମଧ୍ୟ ଚୋରି ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି ।  ବସଷ୍ଟାଣ୍ଡରେ ନିର୍ମାଣ କରାଯାଇଥିବା ନୂତନ ଶୌଚାଳର ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡ଼ିକ ଅପରିଷ୍କା ଅବସ୍ଥାରେ ପଡ଼ି ରହିଛି । ପରିଶ୍ରା କରି ଯିବାକୁ ମହିଳାଯାତ୍ରୀମାନେ ହଇରାଣ ହରକତ ହେଉଥିବା ମଧ୍ୟ ନଜିର ରହିଛି । ଅନୁଗୋଳ ସହରର ନୂତନ  ବସଷ୍ଟାଣ୍ଡ ଏତେ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଇଥିବାବେଳେ ତାଳଚେର ପ୍ରତି ଏତେ ବୈମାତୃକ ମନୋଭାବ ଅଞ୍ଚଳବାସୀଙ୍କ ମନକୁ କ୍ଷୁବ୍ଧ କରିଛି । ତେଣୁ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡର ବିକାଶ ଦିଗରେ ବର୍ତ୍ତମାନର ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।