କ୍ଲାସ୍ ନ କରି ମୋବାଇଲରେ ବ୍ୟସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ
ାା ପ୍ରଭାନୁ୍ୟଜ ।ା ମାହାଙ୍ଗା : ବିଦ୍ୟାଳୟର ପାଠପଢା ସମୟରେ କ୍ଲାସ ନେଲେନି ଶିକ୍ଷକଶିକ୍ଷୟିତ୍ରୀ । କେଉଁଠି ଶିକ୍ଷକ ପାଚେରୀ ଉପରେ ବସି ମୋବାଇଲରେ ବ୍ୟସ୍ତ ରହୁଛନ୍ତି ତ କେଉଁଠି ଶିକ୍ଷୟିତ୍ରୀମାନେ ବାରଣ୍ଡାରେ ବସି ଜମାଇ ଦେଇଛନ୍ତି ଗପର ଆସର । ଫଳରେ ଛାତ୍ରଛାତ୍ରୀମାନେ ପାଠ ପଢା ଛାଡି ବିଦ୍ୟାଳୟ ପରିସର ମଧ୍ୟରେ ଏଣେତେଣେ ବୁଲି ସମୟ ଅତିବାହିତ କରୁଛନ୍ତି । ଇଏ କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ଇଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଥିବା ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ।
ଖବରମୁତାବକ, ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକଶିକ୍ଷୟିତ୍ରୀମାନେ ନିୟମିତ ପାଠ ପଢାଉ ନ ଥିବା ଅଭିଯୋଗ ହୋଇଛି । ଏପରିକି ଏହି ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁ ବିଳମ୍ବରେ ବିଦ୍ୟାଳୟରେ ଯୋଗ ଦେଉଥିବା ବେଳେ ଛୁଟି ହେବା ସମୟ ପୂର୍ବରୁ ବିଦ୍ୟାଳୟ ଛାଡି ଘରକୁ ଚାଲି ଯାଉଛନ୍ତି । ଏପରିକି ବିଦ୍ୟାଳୟରେ ଅଧିକାଂଶ ସମୟ କ୍ଲାସ ନ କରି ବାରଣ୍ଡାରେ ବସି ମୌଜ ମଜଲିସ୍ କରି ସମୟ ଅତିକାନ୍ତ କରୁଛନ୍ତି । ଯାହାଫଳରେ ଏହି ୫ଟି ବିଦ୍ୟାଳୟଟିରେ ଶିକ୍ଷା ବ୍ୟବସ୍ଥା ପୁରାପୁରି ଭୁଶୁଡି ଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଗତ ଶୁକ୍ରବାର ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା । ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ବିଦ୍ୟାଳୟର ଏକାଧିକ ଶିକ୍ଷକଶିକ୍ଷୟିତ୍ରୀ କ୍ଲାସ କରି ନ ଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ଜେନା ନବମ ଶ୍ରେଣୀର ‘ଏ’ ସେକ୍ସନର ଇତିହାସ ପଢାଇବା ସମୟରେ ଅଫିସ ସାମ୍ନା ବାରଣ୍ଡାରେ ବସିଥିବା ବେଳେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ରାଉତରାୟ ନବମ ଶ୍ରେଣୀର ‘ବି’ ସେକ୍ସନ ଜିଜ୍ଞାସା ନ ପଢାଇ ମମତାଙ୍କ ନିକଟରେ ବସି ଅନ୍ୟ ଶିକ୍ଷୟିତ୍ରୀଙ୍କ ସହ ଗପର ଆସର ଜମାଇଥିଲେ । ତେବେ ସବୁଠାରୁ ଗୁରୁତର କଥା ହେଉଛି ଏହି ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସରକାରୀ ଶିକ୍ଷକ ହେବାର ସବୁ ସୀମା ଟପାଇ ଦେଇ ଥିଲେ । ଦଶମ ଶେଣୀ ‘ଏ’ ସେକ୍ସନ ର କୁଶଳୀ ପାଠ ପଢାଇବା ବଦଳରେ ବିଦ୍ୟାଳୟ ବାହାରେ ପାଚେରୀ ଉପରେ ଏକାକୀ ଘଣ୍ଟା ଘଣ୍ଟା ଧରି ବସି ମୋବାଇଲରେ ବ୍ୟସ୍ଥ ରହିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ପାଠ ନ ପଢି ବିଦ୍ୟାଲୟ ପରିସରରେ ଏଣେତେଣେ ବୁଲି ସମୟ ଅତିବାହିତ କରୁଥିଲେ । ଏହି ବିଦ୍ୟାଳୟରେ ଶିକ୍ଷାଦାନର ଏପରି ଅବ୍ୟବସ୍ଥାକୁ ନେଇ ନିର୍ଦ୍ଦିଷ୍ଟ କିଛି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି ଅବିଭାବକ । ସୂଚନା ଥାଉକି, ଏହି ବିଦ୍ୟାଳୟରେ ଦୀର୍ଘ ଦିନ ଧରି କେହି ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତ ହୋଇ ନାହାଁନ୍ତି । ତେବେ ଘଟଣାକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଶିକ୍ଷାଦାନରେ ଅବହେଳା କରିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।