ଜୀବନ ନେଲା, ଜୀବନ ଦେଲା ବାଘ

ାା ଏଜେନ୍ସି ।ା ନୂଆଦିଲ୍ଲୀ: ଉତ୍ତ୍ୟକ୍ତ ଗାଁ ଲୋକ ଗୋଟିଏ ୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାରି ଦେଇଛନ୍ତି । ବାଘଟି ଶନିବାର ରାଜସ୍ଥାନର ରଥାମ୍ଭର ଜାତୀୟ ଉଦ୍ୟାନ(ଆରଏନପି) ନିକଟରେ ଥିବା ଉଲିୟାନା ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା । ଏହି ଘଟଣା ପରେ ଗାଁ ଲୋକମାନେ ରକ୍ତମୁଖା ବାଘକୁ ଖୋଜିବା ସହ ପଥର ଓ କୁରାଢି ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଛନ୍ତି । ତେବେ ସେମାନେ ବାଘଟିକୁ ଶନିବାର କି ରବିବାର ମାରିଛନ୍ତି, ସେକଥା ସ୍ପଷ୍ଟ ହୋଇନି । ଜଙ୍ଗଲ ବିଭାଗ ଏଯାଏ ବାଘର ମୃତୁ୍ୟ ସମ୍ପର୍କରେ କୌଣସି ପ୍ରକାରର ବିବୃତି ଜାରି କରିନାହିଁ । 
ଜଣେ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା ଯେ ଗୋଟିଏ ବର୍ଷ ହେଲାଣି ରଥାମ୍ଭରରେ ବାଘ ଉପରେ ନଜର ରଖାଯାଉ ନାହିଁ । ସେମାନଙ୍କ ଗତପଥକୁ କେହି ବି ତଦାରଖ କରୁ ନାହାନ୍ତି । ଲୋକମାନେ କେତେ ବେଳେ ବାଘ ବିଚରଣ କରୁଥିବା ଅଞ୍ଚଳରେ ପ୍ରବେଶ କରି ଯାଉଛନ୍ତି ତ ଆଉ କେତେବେଳେ ବାଘ ଜନବସତି ଆଡେ ଚାଲି ଯାଉଛି । ଏଥିଯୋଗୁ ଏତେ ବଡ ଘଟଣା ଘଟିଥିବା ସେ କହିଛନ୍ତି । 
ବାଘଟି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେବା ପରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ କୃଷି ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୨୨ ଘଣ୍ଟା ଧରି ଜାରି ରହିଥିବା ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଏସବୁ ଭିତରେ ଆଉ କିଛି ଗାଁ ଲୋକ ବାଘଟିକୁ ଖୋଜିବା ସହ ତାକୁ ଠାବ କରିବା ପରେ ହତ୍ୟା କରିଥିବା ଜଣାପଡିଛି ।