ଇପିଏଫ ଟଙ୍କା ହଡପ  ସନେ୍ଦହରେ ଦୋକାନୀଙ୍କୁ ଆକ୍ରମଣ


 ଆନନ୍ଦପୁର,: ହାଟଡିହି ବ୍ଲକ ନନ୍ଦିପଦା ଥାନା ମରେଈଗାଁ ଛକରେ ଏପିଏଫ ଟଙ୍କା ହଡପ ସନେ୍ଦହରେ ଜଣେ ଦୋକାନୀଙ୍କୁ ଆକ୍ରମଣ ହୋଇଛି । ଅଭିଯୋଗ ଅନୁଯାୟୀ ମରେଈଗାଁ ଛକରେ ଅମର ସେଠୀ ନାମକ ଜଣେ ବ୍ୟକ୍ତି ଏକ ଜନସେବା କେନ୍ଦ୍ର ଖୋଲିଛନ୍ତି । କିଛିଦିନ ତଳେ ଚଣ୍ଡୀବିରଞ୍ଚିପୁର ଗ୍ରାମର ପ୍ରତାପ ଯେନା ନାମକ ଜଣେ ବ୍ୟକ୍ତି ଅମରଙ୍କ ଜନସେବା କେନ୍ଦ୍ରରେ ଇପିଏଫ ଟଙ୍କା ଉଠାଇବା ପାଇଁ ଅନଲାଇନରେ ଆବେଦନ କରି ଟଙ୍କା ଉଠାଇଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଆବଶ୍ୟକ ପଡିବାରୁ ପ୍ରତାପ ଆଉଥରେ ଆବେଦନ କରିବାରୁ ଟଙ୍କା ଆସିନଥିଲା । ଟଙ୍କା ନଆସିବାରୁ ଦୋକାନୀ ଅମର ଟଙ୍କା ଉଠେଇ ନେଇଛି ବୋଲି ଅଭିଯୋଗ କରିବା ସହିତ ସନେ୍ଦହବି କରିଥିଲା ।ଘଟଣାକୁ ନେଇ ଗତ ୨୭ ତାରିଖ ଅମର ଏବଂ ପ୍ରତାପଙ୍କ ମଧ୍ୟରେ ଝଗଡା ହୋଇଥିଲା । ମଧ୍ୟାହ୍ନରେ ପ୍ରତାପ କିଛି ସମ୍ପର୍କୀୟଙ୍କୁ ଧରି ଅମର ଉପରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଅମରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପଟେ ଘଟଣା ସମୟରେ ଉପସ୍ଥିତ ଲୋକ ଉତ୍ୟକ୍ତ ହୋଇ ଆକ୍ରମଣକାରୀ ପ୍ରତାପର ଗୋଟିଏ କୁକୁଡ଼ା ଦୋକାନ ସହିତ ଗୋଟିଏ ବାଇକରେ ନିଆଁ ଲଗେଇ ଦେଇଛନ୍ତି । ନନ୍ଦିପଦା ପୁଲିସ ଉଭୟ ପକ୍ଷଙ୍କୁ ଡାକି ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଛି ।