ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ସୂର୍ଯ୍ୟବଂଶୀ
ଯାଜପୁର ଟାଉନ : ଯାଜପୁର ଜିଲ୍ଲା ପ୍ରଭାରୀ, ମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଆଉଟରିଚ୍ କାର୍ଯ୍ୟକ୍ରମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବୈଠକରେ ସାଂସଦ ଡ଼ା.ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାକୟ ହିମାଂଶୁ ଶେଖର ସାହୁ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନ ଯୋଜନାରେ ହିତାଧିକାରୀଙ୍କ କାର୍ଡ ଗୁଡ଼ିକୁ ଯଥାଶୀଘ୍ର ବଣ୍ଟନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ତ୍ୟୋଦ୍ୟୟ ଗୃହ ଯୋଜନାରେ ଘର ଯୋଗାଇଦେବା, ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ଅଧୀକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ପଞ୍ଚସଖା ଶିକ୍ଷାସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଯୋଜନାରେ ଜିଲ୍ଲାର ୯୭ ସ୍କୁଲ୍କୁ ଅନ୍ତର୍ଭୁକ୍ତ କରାଯାଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ମଡେଲ ସ୍କୁଲରେ ପରିଣତ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ବୈଠକରେ ପିଏମଶ୍ରୀ, ସୁଭଦ୍ରା, ପୋଷଣ ଅଭିଯାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମଧୁବାବୁ ପେନସନ ଯୋଜନା, ଗ୍ରାମାଞ୍ଚଳ ବିଦୁ୍ୟତକରଣ, ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ, କ୍ରୀଡା ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ଡିଜିଟାଲ ସଶକ୍ତିକରଣ ସମ୍ପର୍କରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ, କିଚେନ୍, ଟଏଲେଟ୍ ବିଦୁ୍ୟତିକରଣ, କେନ୍ଦ୍ରକୁ ରାସ୍ତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତି ଅବସରରେ ବିକାଶ ମେଳା ପ୍ରଶାସନିକ ଭବନ ପଡିଆ ଠାରେ ଜୁନ ୧୨ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୈଠକରେ ଏସ୍ପି ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।