ବଢୁଛି ବୁଢ଼ାବଳଙ୍ଗ କୂଳ ଖାଇ ଚାଷଜମି ନଷ୍ଟ
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ବୁଢାବଳଙ୍ଗ ନଦୀଶଯ୍ୟାରେ ବର୍ଷାଜଳ ବୃଦ୍ଧି ହୋଇ ପ୍ରବାହିତ ହେଉଥିବା ବେଳେ ନାଖରାସ୍ଥିତ ବୁଢାବଳଙ୍ଗ ସେତୁକୁ ଲାଗି କୂଳ ଧୀରେ ଧୀରେ ନଦୀ ଗର୍ଭରେ ମିଶି ଯାଉଥିବା ଦେଖାଯାଇଛି । ନିର୍ମିତ ସେତୁର ଉଚ୍ଚତା କମ୍ ହେବା ଯୋଗୁଁ ପ୍ରତିବର୍ଷ ବନ୍ୟା ପାଣି ଆସିଲେ ଏହା ବୁଡ଼ିଯାଇଥାଏ । ନଦୀର ଦୁଇ ପାର୍ଶ୍ୱ ଅତଡା ଖାଇବା ଯୋଗୁଁ ଧୀରେ ଧୀରେ ଚଉତା ହେବାକୁ ଲାଗିଛି । ସେତୁର ଆୟତ୍ତ ଠାରୁ ନଦୀର ଓସାର ଅଧିକ ହେବାକୁ ଲାଗିଛି । ସେତୁ ତିଆରି ହେବାର ଦୀର୍ଘ ଦିନ ପରେ ସ୍ଥାନୀୟ ପଞ୍ଚାୟତବାସୀଙ୍କର ଆନେ୍ଦାଳନାତ୍ମକ ଶୈଳୀ ଗ୍ରହଣ କରିବା ପରେ ଏହାକୁ ଦେଖି ସେତେବେଳର ସରକାର ସେତୁର ଗୋଟିଏ ପାର୍ଶ୍ୱକୁ ପଥର ପେଚିଙ୍ଗ କରିଥିଲେ । ମାତ୍ର ଅନ୍ୟ ଏକ ପାର୍ଶ୍ୱକୁ ପଥର ପେଚିଙ୍ଗ କରି ନଥିଲେ । ଫଳରେ ବହୁ ଚାଷୀଙ୍କର ଶହ ଶହ ଏକର ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯିବାକୁ ବସିଲାଣି । ବୁଢାବଳଙ୍ଗ ନଦୀକୂଳରେ ପରିବା ଚାଷ ପ୍ରଚୁର ପରିମାଣରେ ହେଉଥିବା ଯୋଗୁଁ ଚାଷୀମାନେ ନିଜର ଜୀବନ ଜୀବିକା ମଧ୍ୟ ହରାଇଲେଣି । ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଦୀର ତଳ ପାର୍ଶ୍ୱର ଗୋଟିଏ ପାଖ ସେତୁର ମୁଖ୍ୟ ଖମ୍ବ ଠାରୁ ଅଧିକ ଅତଡା ଖାଇଯିବା ଯୋଗୁଁ ସେତୁ ପ୍ରତି ମଧ୍ୟ ବିପଦ ରହିଛି । କିଛି ବର୍ଷ ପୂର୍ବରୁ ପୋଲ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ନଦୀ କୂଳରେ ପେଚିଂ କରାଗଲା ନାହିଁ । ଫଳରେ କୂଳରେ ଥିବା କେତେକ ଚାଷ ବିଲ ମଧ୍ୟ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ଏହା ପ୍ରଭାବରେ ଦରିହା , କାଠପାଳ , ସିଙ୍ଗଲାମୁଣ୍ଡୁଳି , ଶଙ୍ଖମୁଣ୍ଡ, ବେଲାଣପୁରା, ପାଟଳିପୁରା , ପ୍ରତିମାଦେଇପୁର, ଗଣ୍ଡବାଙ୍କ ସାହି, ଖଣ୍ଡଦେଉଳା, ଦେଓପଡା, ମଧୁନଣ୍ଡା ଓ ନାଖରା ଗ୍ରାମର ଶତାଧିକ ଚାଷୀ ଏହା ପାଇଁ ପ୍ରତିବର୍ଷ କ୍ଷତି ସହୁଛନ୍ତି । ସ୍ଥାନୀୟ ପ୍ରଶାସନ, ମୟୂରଭଞ୍ଜ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀ, ଅଞ୍ଚଳବାସୀ ଦାବି କରିଛନ୍ତି ।