ମାଗଣାରେ ଏଚ୍ପିଭି ଭ୍ୟାକ୍ସିନ୍ ଦେବାକୁ ମହିଳା ସମିତିର ଦାବି

 ବରଗଡ଼: କ୍ୟାନସର ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରୁଛି  । ମୁଖ୍ୟତଃ ସର୍ଭିକାଲ କ୍ୟାନସର ଏକ ସାଧାରଣ ବ୍ୟାଧି ପରି ମହିଳାମାନଙ୍କ ଠାରେ ଦେଖାଯାଉଛି । ୫୦ ରୁ ୫୫ ବର୍ଷ ବୟସର ମହିଳାଙ୍କ ଠାରେ ୩ବି ଷ୍ଟେଜ କ୍ୟାନସର ଦେଖାଯିବା ଏକ ଚିନ୍ତାର ବିଷୟ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି  । ଏହି ମର୍ମରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶାର ମହିଳାମାନଙ୍କୁ ଭବିଷ୍ୟତରେ କ୍ୟାନସରରୁ ସୁରକ୍ଷତି ରଖିବାପାଇଁ ଉପଲବ୍ଧ ଏଚପିଭି ଭେକସିନ ମାଗଣାରେ ପ୍ରଦାନ କରାଯିବାକୁ ଦାବି କରାଯାଇଛି  । ମହିଳାଙ୍କୁ କ୍ୟାନସର୍ ଭଳି ଦୁରାରୋଗ୍ୟରୁ ସୁରକ୍ଷିତ ରଖିବା ପାଇଁ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ଭେକସିନ ପ୍ରଦାନ କରାଯିବା ଆବଶ୍ୟକ  । ଭେକସିନର ମୂଲ୍ୟ ଅଧିକ ଥିବାରୁ ସାଧାରଣ ବର୍ଗ ଏହାର ସୁଯୋଗ ନେଇପାରୁନାହାନ୍ତି ବୋଲି ଦୃଷ୍ଟି ଆକର୍ଷଣ କରାଯାଇଛି  । ସେଥିରେ କୁହାଯାଇଛି ଯେ, କ୍ୟାନସର ମୁକ୍ତ ସମାଜ ଗଠନ ଉଦ୍ୟମରେ କେତେକ ରାଜ୍ୟ ସରକାର ମାଗଣାରେ ଏଚ୍ପିଭି ଭେକସିନ ପ୍ରଦାନ କରିବାକୁ ଘୋଷଣା କରିସାରିଛନ୍ତି  । ସେହି ରାଜ୍ୟ ଗୁଡ଼ିକ ହେଲା ପଞ୍ଜାବ, ସିକ୍କିମ, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ଼ ଓ ମହାରାଷ୍ଟ୍ର । ଏହି ମାଗଣା ଭେକସିନେଶନ କାର୍ଯ୍ୟକ୍ରମ ସେମାନେ କ୍ୟାନସର ପ୍ରବଣ କେତେକ ଜିଲ୍ଲାର ସ୍କୁଲ ଛାତ୍ରୀଙ୍କୁ ସ୍ୱତନ୍ତ୍ର ପାଇଲଟ ଯୋଜନାର ଅଂଶ ଭାବରେ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି  । ଏଭଳି ଉଦବେଗ ଜନକ ପରିସ୍ଥିତିର ମୁକାବିଲା ତଥା କ୍ୟାନସର ମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସମୂହ ଭାବରେ ମହିଳାମାନଙ୍କୁ ମାଗଣାରେ ଏଚପିଭି ଭେକସିନ ପ୍ରଦାନ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି କରିଛି । ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ରାଜ୍ୟ ସରକାରଙ୍କ ବିଚାର ପାଇଁ ଦାବିପତ୍ର ପଠାଇ ଦେବେ ବୋଲି କହିଥିଲେ  । ବରଗଡ଼ ମହିଳା ସମିତିର ସଭାନେତ୍ରୀ ହର୍ଜିନ୍ଦର୍ କୌରଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ଇନ୍ଦ୍ରାଣୀ ଶତପଥୀ, କନକ ପ୍ରଧାନ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ  ।